ବାରିପଦା, ୨୯ ସେପ୍ଟେମ୍ବର ୨୦୨୬(କ: ବ୍ଯୁ)
ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି ଦିବସ–୨୦୨୬ ପାଳନ ଅବସରରେ ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ (ଇଟିଇଆଇ), ବାରିପଦାଠାରେ ସେପ୍ଟେମ୍ବର ୨୯ ତାରିଖରେ ଆନ୍ତଃପିଢ଼ି ବନ୍ଧନ କାର୍ଯ୍ୟକ୍ରମ ସହ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଅଧୀନସ୍ଥ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପୀନାଥ ସଏଙ୍କ ପୌରୋହିତ୍ୟରେ ଏବଂ ସରକାରୀ ଇଟିଇଆଇର ଅଧ୍ୟକ୍ଷ ରଥିନ୍ଦ୍ରନାଥ ଘୋଷଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା।
ଯୁବପିଢ଼ି ଓ ବୟୋଜ୍ୟେଷ୍ଠଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସମ୍ମାନ, ସହଭାଗିତା ଓ ଭାବଗତ ସମ୍ପର୍କକୁ ସୁଦୃଢ଼ କରିବା ଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ସିନିୟର ସିଟିଜେନ୍ ଫୋରମ୍, ବାରିପଦା; ମୟୂରଭଞ୍ଜ ସିନିୟର ସିଟିଜେନ୍ ଫୋରମ୍, ବାରିପଦା ଏବଂ ମୟୂରଭଞ୍ଜ ଅବସରପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘ, ବାରିପଦାର ସଦସ୍ୟମାନେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ସଦସ୍ୟମାନେ ଛାତ୍ରଶିକ୍ଷକମାନଙ୍କ ପାଇଁ ପୌରାଣିକ ତଥା ସାଧାରଣ ଜ୍ଞାନଭିତ୍ତିକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ପରିଚାଳନା କରିଥିଲେ। ଏହା ସହିତ ଛାତ୍ରଶିକ୍ଷକ ଓ ବୟୋଜ୍ୟେଷ୍ଠମାନଙ୍କୁ ଏକାଠି କରି ବିଭିନ୍ନ ମନୋରଞ୍ଜନଧର୍ମୀ ଖେଳ (Fun Games) ଆୟୋଜନ କରାଯାଇଥିଲା। ଉଭୟ ପିଢ଼ିର ସକ୍ରିୟ ଓ ଆନନ୍ଦମୟ ସହଭାଗିତା କାର୍ଯ୍ୟକ୍ରମକୁ ଅଧିକ ଜୀବନ୍ତ କରିବା ସହ ପରସ୍ପର ମଧ୍ୟରେ ସହଜ ଆଲୋଚନା ଓ ଭାବବିନିମୟର ସୁଯୋଗ ସୃଷ୍ଟି କରିଥିଲା।
ଆଲୋଚନା କାଳରେ ବୟୋଜ୍ୟେଷ୍ଠମାନେ ଛାତ୍ରଶିକ୍ଷକମାନଙ୍କ ସହ ନିଜର ଅଭିଜ୍ଞତା, ଅନୁଭୂତି ଓ ଜୀବନରୁ ଆହରିତ ଶିକ୍ଷା ବାଣ୍ଟିଥିଲେ। ଏହା ମାଧ୍ୟମରେ ଛାତ୍ରଶିକ୍ଷକମାନେ ବୟୋଜ୍ୟେଷ୍ଠଙ୍କ ଜ୍ଞାନ, ଅଭିଜ୍ଞତା ଓ ସମାଜ ପ୍ରତି ଅବଦାନକୁ ଅନୁଭବ କରିବା ସହ ସେମାନଙ୍କ ପ୍ରତି ସମ୍ମାନ, ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ୱବୋଧର ଗୁରୁତ୍ୱକୁ ଉପଲବ୍ଧି କରିଥିଲେ।
ଏହି ଅବସରରେ ଅନୁଷ୍ଠାନର ଛାତ୍ରଶିକ୍ଷକମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଥମ ତିନିଜଣ କୃତୀ ପ୍ରତିଯୋଗୀଙ୍କ ନାମ ପୁରସ୍କାର ପ୍ରଦାନ ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ମୟୂରଭଞ୍ଜଙ୍କ ନିକଟକୁ ପ୍ରେରଣ କରାଯାଇଥିଲା।
ଅନୁଭୂତି ବିନିମୟ, ପ୍ରଶ୍ନୋତ୍ତର, ଖେଳ ଓ ସୃଜନଶୀଳ ପ୍ରତିଯୋଗିତା ମାଧ୍ୟମରେ ଦୁଇ ପିଢ଼ିକୁ ନିକଟତର କରିବା ସହ ବୟୋଜ୍ୟେଷ୍ଠଙ୍କ ପ୍ରତି ସମ୍ମାନ ଓ ଯୁବପିଢ଼ି ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)