
ବାରିପଦା ୨୯/୦୯(କ: ବ୍ଯୁ)
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଗେଟ୍ (GATE) ଓ ଜାମ୍ (JAM) ପରୀକ୍ଷାର ସୁଯୋଗ, ପ୍ରସ୍ତୁତି ଓ ସଫଳତା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କ୍ୟାରିଅର କାଉନସେଲିଂ ଓ ପ୍ଲେସ୍ମେଣ୍ଟ୍ ସେଲ୍ ଓ ଆଇ.ଆଇ.ଟି. ଖଡଗପୁର ଜୋନାଲ୍ ଅଫିସ୍ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ନିଜେ ଆଇଆଇଟିରେ ପାଠ ପଢ଼ିଥିବାର ଉପଯୋଗିତା ଉପରେ ଆଲୋକପାତ ପୂର୍ବକ ଏହାର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଆଇ.ଆଇ.ଟି. ଖଡଗପୁରର ପ୍ରଫେସର ତଥା ଗେଟ-ଜାମ୍ ୨୦୨୭ର ଅଧ୍ୟକ୍ଷ ପ୍ର. ଅଜୟ ସିଦ୍ପାରା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଗେଟ୍ ଓ ଜାମ୍ ପରୀକ୍ଷାର ପ୍ରକିୟା, ପରୀକ୍ଷା ପଦ୍ଧତି ଓ ସର୍ବୋପରି ଗେଟ୍ ପରୀକ୍ଷାର ଫଳାଫଳ ବା ଗେଟ୍ ସ୍କୋର୍ର ଉପକାରିତା ସମ୍ପର୍କରେ ଦୀର୍ଘ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରଫେସର ସିଦ୍ପାରା ଗେଟ୍ ସ୍କୋର ଦ୍ୱାରା କେବଳ ବିଭିନ୍ନ ଶ୍ରେଷ୍ଠ ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ନୁହେଁ ବରଂ ବିଭିନ୍ନ ନିଯୁକ୍ତି, ଫେଲୋସିପ, ସ୍କଲାରଶିପ୍, ବାହାର ଦେଶରେ ଉଚ୍ଚଶିକ୍ଷାର ସୁଯୋଗ ରହିଛି, ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ୟାରିଅର କାଉନସେଲିଂ ଓ ପ୍ଲେସ୍ମେଣ୍ଟ୍ ସେଲ୍ର ସଂଯୋଜକ ପ୍ରଫେସର ବିଶ୍ୱଜିତ ରଥ, ପ୍ଲେସ୍ମେଣ୍ଟ୍ ସେଲ୍ର ସଦସ୍ୟ ଡ. ଅମର କୁମାର ଦୋରା, କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଶାନ୍ତିସ୍ୱରୁପ ବସା, ବ୍ୟବସାୟ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡ. ସୀତାରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଦ୍ଭୁତପୂର୍ବ ଉତ୍ସାହ ସହ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)