
ରାଜଗାଙ୍ଗପୁର (କ.ବ୍ୟୁ.) : ରାଜଗାଙ୍ଗପୁର ଓ କାନ୍ସବାହାଲ ରେଳ ଷ୍ଟେସନ ମଧ୍ୟରେ ସିନ୍ଧିପଡ଼ା ନିକଟ ରେଳଧାରଣାରେ ଟ୍ରେନ୍ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଘଟଣାଟି ୨୬ ତାରିଖ ରାତି ପ୍ରାୟ ୧୦ଟା ୫୫ ମିନିଟ୍ରେ ଘଟିଥିବା ଜଣାପଡ଼ିଛି। ଏନେଇ ରାଉରକେଲା ଜିଆରପି ଥାନାରେ U.D. Case No. 69, ତାରିଖ ୨୭/୯/୨୦୨୬ରେ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ୧୮୦୦୬ ସମଲେଇଶ୍ୱରୀ ଏକ୍ସପ୍ରେସ୍ ରାଜଗାଙ୍ଗପୁର ଷ୍ଟେସନରୁ ରାଉରକେଲା ଅଭିମୁଖେ ଯାଉଥିବାବେଳେ KM No. 441/22A ନିକଟରେ ଜଣେ ଅଜଣା ବ୍ୟକ୍ତି ହଠାତ୍ ରେଳଧାରଣାକୁ ଆସିଯାଇଥିଲେ। ତାଙ୍କୁ ଦେଖି ଲୋକୋ ପାଇଲଟ୍ ହର୍ଣ୍ଣ ଦେବା ସହ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ। ତେବେ ଟ୍ରେନ୍ର ବେଗ ଅଧିକ ଥିବାରୁ ତାହାକୁ ତୁରନ୍ତ ଅଟକାଇବା ସମ୍ଭବ ହୋଇନଥିଲା। ଫଳରେ ବ୍ୟକ୍ତିଜଣକ ଟ୍ରେନ୍ ଧକ୍କାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ବୟସ ପ୍ରାୟ ୪୫ରୁ ୫୦ ବର୍ଷ ମଧ୍ୟରେ ହେବ। ଉଚ୍ଚତା ପ୍ରାୟ ୫ ଫୁଟ୍ ୧୦ ଇଞ୍ଚ ଏବଂ ଶରୀର ଗଠନ ସୁଦୃଢ଼। ଚର୍ମର ରଙ୍ଗ ଗହମ ବର୍ଣ୍ଣର। ସେ କଳା ରଙ୍ଗର ଫୁଲ୍ ପ୍ୟାଣ୍ଟ, କଳା-ଧଳା ରଙ୍ଗର ହାଫ୍ ପ୍ୟାଣ୍ଟ ଓ ଆକାଶୀ ରଙ୍ଗର ଗଞ୍ଜି ପିନ୍ଧିଥିଲେ। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ତେଣୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ଥିଲେ କିମ୍ବା କେହି ତାଙ୍କୁ ଚିହ୍ନିଥିଲେ, ତୁରନ୍ତ ରାଜଗାଙ୍ଗପୁର ଜିଆରପି ପୋଲିସ ଫାଣ୍ଡିରେ ଜଣାଇବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )