
ରାଜଗାଙ୍ଗପୁର ୨୬/୯: ରାଜଗାଙ୍ଗପୁର ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ଗୁରୁତର ଆହତ ହୋଇଥିବା ପ୍ରାୟ ୩୦ ବର୍ଷୀୟ ଜଣେ ଅଜଣା ଯୁବକଙ୍କ ରାଉରକେଲା RGHରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ ରାଉରକେଲା GRPSରେ UD Case No. 68, ତା. ୨୬/୯/୨୦୨୬ ରୁଜୁ ହୋଇଛି। ପୁଲିସ ସୂଚନା ଅନୁସାରେ, ୧୦ ସେପ୍ଟେମ୍ବର ସକାଳ ପ୍ରାୟ ୭ଟାରେ ରାଜଗାଙ୍ଗପୁର ରେଳ ଷ୍ଟେସନ ନିକଟରେ ଯୁବକଜଣକ ଆହତ ଅବସ୍ଥାରେ ପଡ଼ିଥିବା ଦେଖାଯାଇଥିଲା। ସେ କୌଣସି ଚଳନ୍ତା ଟ୍ରେନରୁ ଖସିପଡ଼ିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ ରାଜଗାଙ୍ଗପୁର CHCକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ RGH, ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୧୯ ସେପ୍ଟେମ୍ବର ସକାଳ ୮ଟା ୨୦ମିନିଟ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ବୟସ ପ୍ରାୟ ୩୦ ବର୍ଷ, ଉଚ୍ଚତା ପ୍ରାୟ ୫ ଫୁଟ୍ ୭ ଇଞ୍ଚ, ଶରୀର ପତଳା ଓ ଗହମବର୍ଣ୍ଣର। ମୃତ୍ୟୁ ସମୟରେ ସେ ଲାଲ ରଙ୍ଗର ଶାର୍ଟ ପିନ୍ଧିଥିଲେ। ତାଙ୍କ ପରିଚୟ ସମ୍ପର୍କରେ କୌଣସି ସୂଚନା ମିଳିନଥିବାରୁ ପୁଲିସ ପକ୍ଷରୁ ସମସ୍ତଙ୍କୁ ସୂଚନା ପ୍ରସାର କରିବାକୁ ଅନୁରୋଧ କରାଯାଇଛି। ମୃତକଙ୍କୁ କେହି ଚିହ୍ନିପାରିଲେ ରାଜଗାଙ୍ଗପୁର କିମ୍ବା ରାଉରକେଲା ଜିଆରପି କୁ ସୂଚନା ଦେବାକୁ ପୁଲିସ ଅନୁରୋଧ କରିଛି।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )