
ମାଆ ଆଉ ପ୍ରେମ ଦୁଇଟି ଶବ୍ଦର
ସଂଜ୍ଞା ନ ଜାଣିଲେ କେହି,
ସ୍ବର୍ଗୀୟ ଅମୃତ ପବିତ୍ରତା ମଧୁ
ଯାହାର ତୁଳନା ନାହିଁ !
ସତ୍ଯ ଶାନ୍ତି ଦୟା କ୍ଷମା ଓ ଅହିଂସା
ଯେତେ ଧର୍ମ ଉଚ୍ଚାରଣ,
ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରୀତି ଓ ମମତା
ଯେତେ ଶବ୍ଦ ସମ୍ବୋଧନ !
ପ୍ରତି ଉଚ୍ଚାରଣ ପ୍ରତ୍ୟେକ ଶବ୍ଦରେ
ମାଆ ଆଉ ପ୍ରେମ ଶକ୍ତି,
ଯେଉଁ ଶକ୍ତି ବଳେ ନର-ନାରୀଗଣେ
ସୁଖ ଶାନ୍ତି ଲଭିଥା’ନ୍ତି ।
ମହା-କଳିଯୁଗ ସ୍ଥିତି ଯେ’ ଏମନ୍ତ
ବିବେକ ବିଚାର ଶୂନ୍ଯ,
ହୃଦ ଉଚ୍ଚାରଣ ଶୁଭ ସମ୍ବୋଧନ
ଆଜ ବିକୃତ ମଳିନ ।
ପ୍ରେମ ଦିବସରେ ଯୁବକ-ଯୁବତୀ
କାମାସକ୍ତ ଉଚ୍ଛୃଙ୍ଖଳ,
ସେମାନଙ୍କ ପାଇଁ ସତର୍କତା ଘଣ୍ଟି
ହୁଏ ଲେଖନୀ ଚଞ୍ଚଳ ।
ପ୍ରେମରେ ଜୀବନ ଜୀବନରେ ପ୍ରେମ
ଉଠଇ ଜୁଆର ଭଳି,
କେତେବେଳେ ଫୁଲ କେବେ ପୁଣି କଣ୍ଟା
ହୃଦେ ଯାଉଥାଏ ଗଳି ।
ପ୍ରେମ ତ ଅଟଇ ପାରିଜାତ ଫୁଲ
କୁମାର ପୂନେଇଁ ଜହ୍ନ,
ନୂଆ ନୂଆ ଭାରି ଲାଗଇ ମଧୁର
ମନ ହୁଏ ଛନ୍ନ ଛନ୍ନ ।
ପ୍ରେମରେ ମିଳନ ପ୍ରେମରେ ବନ୍ଧନ
ପ୍ରେମରେ ହେଲେ ସ°ସାର,
ଆନନ୍ଦ-ଉଲ୍ଲାସେ ବିତଇ ଜୀବନ
ଧନ୍ୟ ହୁଏ ପରିବାର ।
ପ୍ରେମରେ ଛଳନା ରହିଥିଲେ ଛପି
ପ୍ରେମ ପରେ ପ୍ରତାରଣା,
ଭଟ୍ଟାରେ ଜୀବନ ହୁଏ ଅନ୍ଧକାର
ସମାଜୁ ମିଳଇ ଘୃଣା ।
ସମାଜ-ସଂସ୍କାର ଜାତୀୟ-ସଂହତି
ପରିବେଶର ସୁସ୍ଥତା,
ଶୁଭ ଦିବସର ସପୁଷ୍ପ ଚନ୍ଦନ
ପ୍ରେମ ଦିବସୀୟ ବାର୍ତ୍ତା ।
କବି ଶ୍ରୀ ଶମ୍ଭୁନାଥ ଦାସ, କୋଲକାତା