
ବଣ-ଜଙ୍ଗଲରେ ବାସ କରୁଥିଲେ
ଯେ’ ଆଦିମ ଜନ-ଜାତି,
ଏବେ ଚନ୍ଦ୍ରପୃଷ୍ଠେ ବିଚରଣ କରେ
ବିଜ୍ଞାନର କରାମତି ।
କ୍ରମେ କ୍ରମେ ଜନ- ସମାଜ ସଂସ୍କୃତି
ପ୍ରଗତିର ବିକାଶନ,
ବିଜ୍ଞାନ ଯୁଗର ମାନ୍ଯ ପ୍ରାପ୍ତ ସତେ
ବୈଜ୍ଞାନିକଙ୍କର ଦାନ ।
ଜାହାଜ ରକେଟ ଅବା ମୋବାଇଲ
ରେଡିଓ ଦୂରଦର୍ଶନ,
ସାଇକେଲ’ଠାରୁ ଘଡ଼ି କମ୍ପ୍ୟୁଟର
ଆବିଷ୍କାର ଉଦ୍ଭାବନ ।
ଅଢ଼େଇ ହଜାର ବର୍ଷ ସଂଘର୍ଷରେ
ଶିକ୍ଷା-ଦୀକ୍ଷା ବୁଦ୍ଧି-ବଳ,
ଜୀବନକୁ ସୁସ୍ଥ ଆନନ୍ଦମୁଖର
ଖଞ୍ଜନ୍ତି ଜ୍ଞାନ କୌଶଳ ।
ବୈଜ୍ଞାନିକଗଣ ବିଶ୍ବେ ମହୀୟାନ
ଉଦ୍ଭାବନ ଆବିଷ୍କାର,
ବେତାରଯନ୍ତ୍ରର ଉଦ୍ଭାବକ ବିଜ୍ଞ
ଜି. ମାର୍କୋନି ଇଟାଲୀର ।
ଅଠର ଶ’ ଚଉ- ସ୍ତରୀ ମସିହାର
ଅପ୍ରେଲ ପଚିଶ ଦିନ,
ଗୁଗ୍ଲିଲ୍ମୋ ମାର୍କୋନି ଇଟାଲୀରେ ଜନ୍ମ
ରଚିଲେ ଶ୍ରେଷ୍ଠ ବିଜ୍ଞାନ ।
ଅଠର ଶ’ ପଞ୍ଚା- ନବେ ମସିହାରେ
ରେଡିଓ ଶୁଣାନ୍ତି ଜନେ,
ସବେଠୁ ବିଶ୍ବର ଖବର ସେବାରେ
ରେଡିଓ ଯେ’ ପ୍ରସାରଣେ ।
ସ୍ବଳ୍ପ ଖର୍ଚ୍ଚେ ଛୋଟ ଯନ୍ତ୍ର ସେ’ ରେଡିଓ
ସମଗ୍ର ବିଶ୍ବେ ଆଦର,
କର୍ମ ନିଯୁକ୍ତି ଓ ମନୋରଞ୍ଜନରେ
ପ୍ରତିଭା ବି ବିକଶ୍ବର ।
ଆକାଶବାଣୀର ନାମରେ ବିଖ୍ୟାତ
ଖବର ସରବରାହ,
ଦୀର୍ଘ ଶହେ ବର୍ଷ ଭାରି ଜୋରଦାର
ଏବେ କିୟତ ନିର୍ବାହ ।
ଏବେ ସିନା ଦୂର- ଦର୍ଶନ ସହିତ
କମ୍ପ୍ୟୁଟର ମୋବାଇଲ,
ରେଡିଓ ଯେ’ ସର୍ବ ଅଗ୍ର ସୂତ୍ରପାତ
ଏକଥା କେଭେଁ ନ ଭୁଲ ।
ଊଣୈଶ ଶ’ ସଇ- ତିରିଶ ଜୁଲାଇ
କୋଡ଼ିଏ ରୋମ ନଗରେ,
ବହୁ ଆବିଷ୍କୃତ ପଦାର୍ଥ ପ୍ରଦାତା
ଚାଲିଗଲେ ସ୍ବର୍ଗପୁରେ ।
ଫେବ୍ରୁଆରି ତେର ତାରିଖ ପ୍ରଣୀତ
ବିଶ୍ବ ରେଡିଓ ଦିବସ ,
ମୋ’ ହୃଦେ ଉଲ୍ଲାସ ମାର୍କୋନି ସ୍ମରଣ
ଭାଳେ ଶମ୍ଭୁନାଥ ଦାସ ।
କବି ଶ୍ରୀ ଶମ୍ଭୁନାଥ ଦାସ, କୋଲକାତା