
କଟକ, ୭ ସେପ୍ଟେମ୍ବର ୨୦୨୬:
ଆସନ୍ତା ଗଣେଶ ପୂଜାକୁ କଟକ ମହାନଗର ନିଗମ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ, ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶରେ ପାଳନ କରିବା ନେଇ କଟକ ମହାନଗର ନିଗମ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ମହାନଗର ନିଗମ କାଉନସିଲ୍ ହଲ୍ରେ ଅପରାହ୍ନ ୪ଟା ସମୟରେ ମାନ୍ୟବର ମେୟର ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଗଣେଶ ପୂଜାକୁ ସୁରୁଖୁରୁରେ ପାଳନ କରିବା ସହିତ ଭକ୍ତ, ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କ ସୁବିଧା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମୂଳିଆ, କର୍ପୋରେଟର ଶ୍ରୀ ସନ୍ତୋଷ ଭୋଳ , କର୍ପୋରେଟର ଶ୍ରୀ ଗୋପାଳ ବେହେରା, କର୍ପୋରେଟର ଶ୍ରୀ ସୁବାସିଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।
ଏଥିସହ କଟକ ସହରର ବିଭିନ୍ନ ଶାନ୍ତି କମିଟି, ପୂଜା କମିଟି ଓ ବିଭିନ୍ନ ସାମାଜିକ ସଂଗଠନର ପ୍ରମୁଖ କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀମାନେ ମଧ୍ୟ ବୈଠକରେ ଯୋଗଦେଇ ଗଣେଶ ପୂଜା ଆୟୋଜନ ସମ୍ପର୍କରେ ନିଜ ନିଜ ମତାମତ ଓ ପରାମର୍ଶ ରଖିଥିଲେ।
ବୈଠକରେ ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ର ସାହୁ, ଶ୍ରୀ ପ୍ରଦୀପ ସିହ୍ନା, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ଶ୍ରୀ ବିଜୟ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ ସାହୁ, କାର୍ଯ୍ୟକାରୀ ସଭାପତି ଶ୍ରୀ ନୃସିଂହ ଚୌଧୁରୀ, ଶ୍ରୀ ଶ୍ରୀବେନ୍ଦ୍ର ହାତୀ, ଶ୍ରୀ ନଳିନୀ କୁମାର ସେନାପତି, ଯୋବ୍ରା କମିଟି ସମ୍ପାଦକ ଶ୍ରୀ ଶ୍ରୀମନ୍ତ ଦାସ, ଶ୍ରୀ ଚନ୍ଦ୍ରମଣି ସେନାପତି, ଶ୍ରୀ ସୁନୀଲ ପଣ୍ଡା, ଶ୍ରୀ ବାପି ରାୟ, ଶ୍ରୀ ଜ୍ୟୋତିପ୍ରକାଶ ଘୋଷ, ଶ୍ରୀ ଦିପାୟନ ପଟ୍ଟନାୟକ, ଶ୍ରୀ ଦେବେନ୍ଦ୍ର କାହାଳି ଓ ଶ୍ରୀ ଦେବାଶିଷ ରାୟ ପ୍ରମୁଖ ଯୋଗଦେଇଥିଲେ।
ବୈଠକରେ ଆଗାମୀ ଗଣେଶ ପୂଜା ସମୟରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା, ରାସ୍ତାଘାଟର ସ୍ଥିତି, ଆଲୋକୀକରଣ, ପାନୀୟ ଜଳ, ଟ୍ରାଫିକ୍ ଓ ଯାତାୟାତ ବ୍ୟବସ୍ଥା, ପାର୍କିଂ, ଜନସମାଗମ ନିୟନ୍ତ୍ରଣ, ପୂଜା ମଣ୍ଡପ ନିକଟରେ ସ୍ୱଚ୍ଛତା ଏବଂ ଆବର୍ଜନା ପରିଚାଳନା ଆଦି ବିଭିନ୍ନ ବିଷୟ ଉପରେ ଗୁରୁତ୍ୱ ସହ ଆଲୋଚନା କରାଯାଇଥିଲା।
ମେୟର ଶ୍ରୀ ସୁବାସ ସିଂହ କହିଥିଲେ ଯେ, କଟକର ପୂଜା ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଗଣେଶ ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା କଟକ ସହରର ଭାଇଚାରା, ସାମାଜିକ ଏକତା ଓ ସାଂସ୍କୃତିକ ସମନ୍ୱୟର ଏକ ଅବସର। ତେଣୁ ସମସ୍ତ ପୂଜା କମିଟି ଦାୟିତ୍ୱବୋଧର ସହିତ ପୂଜା ଆୟୋଜନ କରିବା ସହିତ ସାଧାରଣ ଲୋକଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।
ସେ ଆହୁରି କହିଥିଲେ ଯେ, ପୂଜା ମଣ୍ଡପ ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା, ଆବର୍ଜନାକୁ ଏଣେତେଣେ ନପକାଇବା ଏବଂ ନିଗମର ପରିମଳ ବ୍ୟବସ୍ଥା ସହିତ ସମନ୍ୱୟ ରଖିବା ପୂଜା କମିଟିଗୁଡ଼ିକର ମଧ୍ୟ ଦାୟିତ୍ୱ। କଟକକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଢ଼ିବାରେ ନାଗରିକଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
ପୂଜା ସମୟରେ ଭକ୍ତ ଓ ସାଧାରଣ ଲୋକଙ୍କ ଯାତାୟାତରେ ଯେପରି କୌଣସି ଅସୁବିଧା ସୃଷ୍ଟି ନହୁଏ, ସେଥିପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥାରେ ପୂଜା କମିଟିଗୁଡ଼ିକ ସମ୍ପୃକ୍ତ ବିଭାଗ ସହିତ ସମନ୍ୱୟ ରଖିବା ଉପରେ ମଧ୍ୟ ମେୟର ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଉପସ୍ଥିତ ପୂଜା କମିଟିର କର୍ମକର୍ତ୍ତା, ଶାନ୍ତି କମିଟିର ପ୍ରତିନିଧି ଓ ସହରର ବୁଦ୍ଧିଜୀବୀମାନେ ଗଣେଶ ପୂଜାକୁ ଅଧିକ ଶୃଙ୍ଖଳିତ ଓ ଲୋକାଭିମୁଖୀ କରିବା ପାଇଁ ନିଜ ନିଜର ମତାମତ ଓ ପରାମର୍ଶ ରଖିଥିଲେ। ସମସ୍ତଙ୍କ ପରାମର୍ଶକୁ ଗୁରୁତ୍ୱର ସହ ଶୁଣି ଆବଶ୍ୟକ ପଦକ୍ଷେପ ନେବା ନେଇ ମେୟର ପ୍ରତିଶ୍ରୁତି ଦେଇଥିଲେ।
ସମସ୍ତଙ୍କ ସହଯୋଗ ଓ ସମନ୍ୱୟରେ କଟକର ଗଣେଶ ପୂଜାକୁ ଏକ ଶାନ୍ତିପୂର୍ଣ୍ଣ, ସ୍ୱଚ୍ଛ, ସୁନ୍ଦର, ସୁରକ୍ଷିତ ଓ ଶୃଙ୍ଖଳିତ ଉତ୍ସବରେ ପରିଣତ କରିବା ପାଇଁ କଟକ ମହାନଗର ନିଗମ ପ୍ରତିବଦ୍ଧ ବୋଲି ମେୟର ଶ୍ରୀ ସୁବାସ ସିଂହ ପ୍ରକାଶ କରିଥିଲେ।