କଟକ: କଟକ ଇଲେକ୍ଟ୍ରିକାଲ ଟ୍ରେଡର୍ସ ଆସୋସିଏସନ (ସେଟା)ର ୨୯ତମ ବାର୍ଷିକ ଉତ୍ସବ ଚୌଧୁରୀ ବଜାରସ୍ଥିତ ଶହୀଦ ଭବନରେ ଆନନ୍ଦ ଓ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। ଦୀପ ପ୍ରଜ୍ୱଳନ ଓ ଜାତୀୟ ସଙ୍ଗୀତ ପରିବେଷଣ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏଥିରେ ଆସୋସିଏସନର କର୍ମକର୍ତ୍ତା, ସଦସ୍ୟ ଏବଂ ବିଭିନ୍ନ କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଥିଲେ।
ଉତ୍ସବରେ ସେଟାର ସଭାପତି ରାଜକୁମାର ଖେମକା, ଉପସଭାପତି ନକୁଳ କୁମାର ସାହୁ, ସମ୍ପାଦକ ଦେବବ୍ରତ ପୋଲ୍ଲେ ଏବଂ କୋଷାଧ୍ୟକ୍ଷ ପଙ୍କଜ ଗିରିଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ମଞ୍ଚାସୀନ ଥିଲେ। ଏହି ଅବସରରେ ହାଭେଲ୍ସ ଇଣ୍ଡିଆ ଲିମିଟେଡର ପ୍ରତିନିଧି ଦେବାଶିଷ ମିତ୍ର ଏବଂ ଫିନୋଲେକ୍ସ କେବଲ୍ସ ଲିମିଟେଡର ଲକ୍ଷ୍ମୀ ନାରାୟଣ ରଥ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ।
ନିଜ ଅଭିଭାଷଣରେ ସେଟାର ସଭାପତି ରାଜକୁମାର ଖେମକା ଆସୋସିଏସନର ବିଭିନ୍ନ କାର୍ଯ୍ୟକଳାପ ଓ ସଫଳତା ସମ୍ପର୍କରେ ଆଲୋକପାତ କରିବା ସହ ସମସ୍ତ ସଦସ୍ୟଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, ସଂଗଠନ ନିଜ ସଦସ୍ୟମାନଙ୍କ ସୁଖଦୁଃଖରେ ସର୍ବଦା ସେମାନଙ୍କ ସହିତ ରହିବା ସହ ବ୍ୟବସାୟୀମାନଙ୍କ ସ୍ୱାର୍ଥରେ ନିରନ୍ତର କାର୍ଯ୍ୟ କରିବ।
ହାଭେଲ୍ସ ଓ ଫିନୋଲେକ୍ସର ପ୍ରତିନିଧିମାନେ ମଧ୍ୟ ସେଟାର ସଦସ୍ୟ ଏବଂ କଟକର ଇଲେକ୍ଟ୍ରିକାଲ ଟ୍ରେଡର୍ସମାନଙ୍କ ନିରନ୍ତର ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ବ୍ୟବସାୟୀମାନଙ୍କ ସହଯୋଗ ଫଳରେ ଉଭୟ କମ୍ପାନୀ ଓ ଟ୍ରେଡର୍ସମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆହୁରି ମଜବୁତ ହୋଇଛି ଏବଂ ସମସ୍ତେ ମିଳିତ ଭାବେ ଉଲ୍ଲେଖନୀୟ ପ୍ରଗତି କରିପାରିଛନ୍ତି ବୋଲି ସେମାନେ କହିଥିଲେ।
କାର୍ଯ୍ୟକ୍ରମକୁ ଜୟ ପ୍ରକାଶ ଅଗ୍ରୱାଲ ଏବଂ ଜଗବନ୍ଧୁ ସାହୁ ପରିଚାଳନା କରିଥିଲେ। ଏହି ଅବସରରେ ସଂଗଠନର ସଦସ୍ୟ ଓ ଅତିଥିମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।
ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେଟାର ସଦସ୍ୟମାନେ ନିଜ ପରିବାର ସହ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସାଂସ୍କୃତିକ ପରିବେଷଣରେ ଦେଶଭକ୍ତିର ଝଲକ ଦେଖିବାକୁ ମିଳିଥିଲା। ଉପସ୍ଥିତ ଦର୍ଶକମାନେ ଏହାକୁ ଖୁବ୍ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସେଟାର ସମ୍ପାଦକ ଦେବବ୍ରତ ପୋଲ୍ଲେ ସମସ୍ତ ଅତିଥି, ସଦସ୍ୟ ଓ ସହଯୋଗୀଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ସେଟାର କାର୍ଯ୍ୟକାରୀ ସଦସ୍ୟ ପିତବାସ ସାହୁ, ଜୟ ଅଗ୍ରୱାଲ, ସଞ୍ଜୟ ସେଠିଆ, ମହାବୀର ପାରୀକ, ଜଗବନ୍ଧୁ ସାହୁ, କୈଳାସ ସାହୁ, ଶୈଳେଶ କୁମାର ବର୍ମା, ରାଜେନ୍ଦ୍ର ନନ୍ଦୀ, ବିନୟ ମନ୍ତ୍ରୀ, ବିଜୟ କୃଷ୍ଣ ଆଚାର୍ଯ୍ୟ, ମୋହନଲାଲ ଶର୍ମା, ସୌରଭ ପୋଲ୍ଲେ, ସୁଭାଷ ପାରୀକ, ସତ୍ୟନାରାୟଣ ଗୋୟଲ, ଶଙ୍କରଲାଲ ପାରୀକ, ଲଲିତ ପାଟୋଡିଆ, ପ୍ରଦୀପ ଅଗ୍ରୱାଲ, ଅମିତ ମୁନ୍ଧଡା, ଅଶୋକ ରଞ୍ଜନ ଦେ ଏବଂ କୃଷ୍ଣଚନ୍ଦ୍ର ସାହୁଙ୍କ ସମେତ ବହୁ ସଂଖ୍ୟକ ସଦସ୍ୟ ଓ ଅତିଥି ଉପସ୍ଥିତ ଥିଲେ।