
ବାରିପଦା/ଉଦଳା ତା୨୬/୦୯/୨୦୨୬(କ ବ୍ଯୁ) : ଲଗାଣ ବର୍ଷା ଯୋଗୁଁ କପ୍ତିପଦା ଉପଖଣ୍ଡର କ୍ଷୟକ୍ଷତିକୁ ନେଇ ଉଦଳା ସନ୍ଧାନୀ ଗୃହରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ଥାନୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଆଜି ପର୍ଯ୍ୟନ୍ତ ମିଳିଥିବା କ୍ଷୟକ୍ଷତି ରିପୋର୍ଟକୁ ଦେଖିବା ସହିତ ଭଲ ଭାବରେ ଅନ୍ୟ କେହି ହିତାଧିକାରୀ ବାଦ ପଡ଼ିଥିଲେ ତୁରନ୍ତ ତଦନ୍ତ କରି ସରକାରଙ୍କୁ ଅବଗତ କରାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟାରେ ସମସ୍ତ ଭାଙ୍ଗି ଯାଇଥିବା ଘର ସମେତ ସମସ୍ତ କଚ୍ଚା ଘର ଥିବା ହିତାଧିକାରୀମାନଙ୍କୁ ତୁରନ୍ତ ପକ୍କା ଘର ଯୋଗାଇ ଦିଆଯିବା, ବନ୍ୟା ପରେ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ରଖି ଶୁଦ୍ଧ ପାନୀୟ ଜଳ, ଔଷଧ ଦିଆଯିବା ସହିତ ହେଲୋଜିନ ଟେବଲେଟ, ବ୍ଲିଚିଂ ପାଉଡ଼ର, ସାପ କାମୁଡ଼ା ଔଷଧ ଇଞ୍ଜେକ୍ସନ ଆବଶ୍ୟକ ପରିମାଣରେ ଗଚ୍ଛିତ ରଖିବା ସହିତ ଲୋକମାନଙ୍କୁ ଠିକ ସମୟରେ ଯୋଗାଇଥିବାକୁ ଡ଼ାକ୍ତର ଲକ୍ଷ୍ମୀକାନ୍ତ ପତିଙ୍କ ସମେତ ବିଭାଗୀୟ ଅଧିକରୀମାନଙ୍କୁ ପରାମର୍ଶ ଦେଲେ । ଚାଷୀମାନଙ୍କର କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗ ଅଧିକାରୀ ଓ ତହସିଲ କର୍ମଚାରୀ ମାନଙ୍କର ମିଳିତ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରି ଦୁଇ ଦିନ ମଧ୍ୟରେ ସରକାରଙ୍କୁ ଅବଗତ କରାଇବା, ବିଦ୍ୟୁତ କାଟ ନ କରାଇବା, ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ତଥା ଔଷଧ ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପଖଣ୍ଡର ସମସ୍ତ ଅସୁରକ୍ଷିତ ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ତୁରନ୍ତ ଚିହ୍ନଟ କରାଯାଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଗଲେ ନୂତନ ପକ୍କା ଘର ଯୋଗାଇଦିଆଯିବା ସହିତ ଯେଉଁ ଘର ଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇନଥିବ ସେଠାରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ସ୍ଥାନୀୟ ବିଧାୟକ ଭାସ୍କର ମଢ଼େଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପାଳ ହେମକାନ୍ତ ସଏ, ଏନ.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପଜିଲ୍ଲାପାଳ ପ୍ରଣୟ ରଞ୍ଜନ ବେହେରାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)