
ବାରିପଦା -ଉଦଳା,ତା୨୧/୦୯/୨୦୨୬
(କ: ବ୍ଯୁ)
ଉଦଳା ନିକଟସ୍ଥ ବିସିପୁର ପିଏମ୍ଶ୍ରୀ ଉଚ୍ଚବିଦ୍ୟାଳୟର ଅଧ୍ୟୟନ କରୁଥିବା ଶତାଧିକ ଛାତ୍ର ଛାତ୍ରୀ ଦୀର୍ଘ ଦିନ ଧରି ପୋକରା ଚାଉଳ ସହିତ ଗୋଡ଼ି ମିଶା ଚାଉଳରେ ତିଆରି ଭାତ ଖାଇ ଆସୁ ଅଛନ୍ତି । ଏବାବଦରେ ମେଟ୍ରରାନ ଓ ହଷ୍ଟେଲ ଦାୟିତ୍ଵରେ ଥିବା ଶିକ୍ଷକମାନଙ୍କୁ ଜଣାଇବାରୁ କୌଣସି ସନ୍ତୋଷଜନକ ଉତ୍ତର ବଦଳରେ ନାଲି ଆଖି ଦେଖେଇବାରୁ ପିଲାମାନେ ଚୁପ୍ ହୋଇ ରହିଥିଲେ । ପିଲାଙ୍କ ଭିତରେ ଅସନ୍ତୋଷ ଏତେ ପରିମାଣରେ ବଢ଼ିଗଲା ଯେ , ସମସ୍ତେ ଆଜି ଚାଲିଚାଲି ଅଭିଯୋଗ ଜଣାଇବାକୁ ପ୍ରାୟ ୧୦ କିମି ଚାଲିକରି ଯାଇ ଅଭିଯୋଗ କରିଥିଲେ । ହଷ୍ଟେଲରେ ବିଦ୍ୟୁତର ସୁବିଧା ନାହିଁ ଯାହା ଫଳରେ ପାଠ ପଢିବା ଠିକ ସେ ହୋଇ ପାରୁ ନାହିଁ । ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ନପାରି ପିଲାଙ୍କୁ ଅତି କଦର୍ଯ୍ୟ ବ୍ୟବହାର କରିଥିବା କଥା ପିଲାମାନେ ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ ସ୍କୁଲ ସମୟରେ ମଦ୍ୟପାନ କରି ଛୋଟ ଛୋଟ ପିଲାଙ୍କୁ ମାରପିଟ୍ ସହିତ ବଡ଼ବଡ଼ ପିଲାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରୁଥିଲେ । ମଂଗଳ ସମ୍ପ୍ରସାରଣ ଅଧିକାରୀ ଅବଗତ ଥାଇ ଏପରି ନିରବ ରହିବାର ପ୍ରକୃତ ରହସ୍ୟ କଣ ଜଣା ପଡୁ ନାହିଁ । ପାଠ ପଢ଼ିବା ବୟସରେ ନିଜ ଅଧିକାର ଓ ଖାଦ୍ୟର ଗୁଣବତ୍ତା ପାଇଁ ଏଭଳି ଦୀର୍ଘ ପଥ ଚାଲିବା ଘଟଣା ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାଳୟର ଖାଦ୍ୟ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ମୟୁରଭଞ୍ଜ ଜିଲ୍ଲା ମଂଗଳ ଅଧିକାରୀ ଜୁଲାଇ ଓ ଅଗଷ୍ଟ ମାସରେ ହଷ୍ଟେଲ ପରିଦର୍ଶନରେ ଆସି ନଥିବା ଯୋଗୁଁ ପିଲାମାନେ ଅଭିଯୋଗ ପାଇଁ ବାରିପଦା ଯାଉ ଥିଲେ । ସେମାନଙ୍କୁ ଅଧା ରାସ୍ତାରୁ ଆଣି ଆଲୋଚନା କରିବା ବେଳେ ପିଲାମାନେ ପୋକରା , ଗୋଡ଼ି ଓ ଧୁଳି ବାଲି ମିଶା ଚାଉଳ ଦେଖାଇ ଥିଲେ । ଏହା ମୟୁରଭଞ୍ଜ ଜିଲ୍ଲା ପାଇଁ ଏକ ସ୍ପର୍ଶକାତର ଘଟଣା ଅଟେ । ଉଦଳା ଆଇଟିଡିଏ ପ୍ରକଳ୍ପ ଅଧିକାରୀ , ମଂଗଳ ଅଧିକାରୀ ଓ ଉପଜିଲ୍ଲାପାଳ ଘଟଣା ବାବଦରେ ଅବଗତ ପରେ ସମସ୍ୟା ସମାଧାନ ପାଇଁ ଆଜି ଯେପରି ଯତ୍ନବାନ ହେଲେ ତାହା ଯଥେଷ୍ଟ ପୂର୍ବରୁ ହୋଇ ଥିଲେ କଥା ଦାଣ୍ଡରେ ପଡ଼ି ହାଟରେ ଗଡାଗଡି ହୋଇ ନଥାନ୍ତା । ମଦ୍ୟପ ପ୍ରଧାନ ଶିକ୍ଷକଙ୍କୁ ହଟାଇବା ସହିତ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଆଗକୁ ଏପରି ଆନ୍ଦୋଳନ ହେବ ନାହିଁ ବୋଲି ଅଭିଭାବକମାନେ କହିଛନ୍ତି । ପିଲାମାନେ ଉଦଳା ବାରିପଦା ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି । ବୁଝାମଣା ପରେ ରାସ୍ତା ଅବରୋଧ ହଟି ଥିଲା ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)