
- ଶାନ୍ତିଶୃଙ୍ଖଳା ଓ ସୁବ୍ୟବସ୍ଥିତ ଭାବେ ଦୁର୍ଗାପୂଜା ଆୟୋଜନ ଉପରେ ଗୁରୁତ୍ୱ
- ସିଙ୍ଗଲ ୱିଣ୍ଡୋ ସିଷ୍ଟମର ସୁବିଧା ନେବାପାଇଁ ଆଉ ଗୋଟିଏ ଦିନ ଦେଲେ ଜିଲ୍ଲାପାଳ
କଟକ, ତା୨୪ .୦୯.୨୦୨୬ ରିଖ : ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳା ଓ ସୁବ୍ୟବସ୍ଥିତ ଭାବେ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଆହୁତ ପ୍ରସ୍ତୁତି ବୈଠକ ସ୍ଥାନୀୟ ନେତାଜୀ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରି ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସତର୍କତାମୂଳକ ଭାବେ ପାର୍ବଣ ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ବିଶେଷକରି ପୂଜା ସମୟରେ ଆବଶ୍ୟକୀୟ ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା, ବିଦ୍ୟୁତ୍, ପାନୀୟଜଳ, ଶୌଚାଳୟ, ପ୍ରବେଶପଥ, ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ଆଲୋଚିତ ବିଷୟ ଉପରେ ମତାମତ ରଖି ସମସ୍ତ ଵିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ମାନେ ସମସ୍ତ କାର୍ଯ୍ୟ ପୂଜା ପୂର୍ବରୁ ଶେଷ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ପୂଜା କମିଟି ଗୁଡିକ ଏନ୍ଓସି ଓ ଅନୁମତି ପତ୍ର ପାଇଁ ଆବେଦନ କରିଥିଲେ । ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟିର ଅନୁରୋଧ କ୍ରମେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଆଉ ଗୋଟିଏ ଦିନ ପାଇଁ ପୁନର୍ବାର କାର୍ଯ୍ୟକ୍ଷମ କରିବା ନିମନ୍ତେ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି। ଦୁର୍ଗାପୂଜା ସମୟରେ ଜନସାଧାରଣଙ୍କ ସୁବିଧା ପାଇଁ କାର୍ଯ୍ୟକ୍ରମଗୁଡ଼ିକର ଲାଇଭ୍ ପ୍ରସାରଣର ବ୍ୟବସ୍ଥା କରାଯିବ । ତୋରଣ ନିର୍ମାଣ ସମୟରେ ସୁରକ୍ଷା ଓ ଯାତାୟାତକୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ସହ ଆଲୋଚନା କରି ତୋରଣର ଡିଜାଇନ୍ କରିବାକୁ ଜିଲ୍ଲାପାଳ କହିଛନ୍ତି ।ଅବକାରୀ ବିଭାଗ ପକ୍ଷରୁ ପୂଜା ସମୟରେ ନିଶା ଦ୍ରବ୍ୟ ବିକ୍ରି ଉପରେ କଡ଼ା ନଜର ରଖାଯିବ। କୌଣସି ଅନିୟମିତତା ଦୃଷ୍ଟିଗୋଚର ହେଲେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ ସେ କହିଛନ୍ତି ।ଦର୍ଶକମାନଙ୍କ ସୁବିଧା ପାଇଁ ସହରର ୮ଟି ପ୍ରମୁଖ ସ୍ଥାନରେ ଶୌଚାଳୟ ଓ ପାନୀୟଜଳ ବ୍ୟବସ୍ଥା କରାଯିବ। ଏଥିସହ ସହରର ପ୍ରବେଶ ପଥ ଗୁଡିକୁ ସୁବ୍ୟବସ୍ଥିତ କରିବା ନିମନ୍ତେ କଟକ ଉନ୍ନୟନ କର୍ତ୍ତୃପକ୍ଷ (KDA), କଟକ ମହାନଗର ନିଗମ (KMC) ଓ ଜିଲ୍ଲା ପ୍ରଶାସନର ସମନ୍ୱୟରେ ବ୍ୟବସ୍ଥା କରାଯିବ। କଟକର ଐତିହାସିକ ଦୁର୍ଗାପୂଜା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏକ ବିଶେଷ ପତ୍ରିକା ପ୍ରକାଶନ କରାଯିବା ନେଇ ବୈଠକରେ ଆଲୋଚନା କରିଥିଲେ। ଉକ୍ତ ପତ୍ରିକାରେ କଟକ ଦୁର୍ଗାପୂଜାର ଇତିହାସ, ପରମ୍ପରା, ବିଶେଷତ୍ୱ ଓ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ତଥ୍ୟ ସ୍ଥାନ ପାଇବ ।ପୂଜା ସମୟରେ କୌଣସି ପ୍ରକାରର ସମନ୍ୱୟ ଅଭାବ କିମ୍ବା ଯୋଗାଯୋଗ ଅଭାବ ଯୋଗୁଁ ଯେପରି କୌଣସି ସମସ୍ୟା ଉପୁଜିବ ନାହିଁ, ସେଥିପ୍ରତି ସମସ୍ତ ବିଭାଗ ଓ ପୂଜା କମିଟିଗୁଡ଼ିକ ସଚେତନ ରହିବା ଆବଶ୍ୟକ ଏବଂ କଟକର ଗୌରବମୟ ଦୁର୍ଗାପୂଜା ପରମ୍ପରାକୁ ଅକ୍ଷୁଣ୍ଣ ରଖି ସମସ୍ତେ ମିଳିମିଶି ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ସହ ଶାରଦୀୟ ଦୁର୍ଗାପୂଜା ପାଳନ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି ।
ସହରର ସମସ୍ତ ରାସ୍ତାଘାଟ ମରାମତି, ସଫେଇ, ଗଛ କଟା ଆଦି କାର୍ଯ୍ୟ ବହୁତ ଜଲଦି ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରନଦୀପ କୌର ସହୋତା କହିଛନ୍ତି । ମୃଣ୍ମୟୀ ପ୍ରତିମାଗୁଡିକର ସୁବିଧାଜନକ ବିସର୍ଜନ ନିମନ୍ତେ ଅସ୍ଥାୟୀ ଜଳାଶୟ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ କଟକ ନଗର ଦୁର୍ଗାପୂଜା ନିମନ୍ତେ ମହାନଗର ନିଗମ ତରଫରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ରଖିଥିଲେ ।
କଟକ ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ,ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ସଭା ପରିଚାଳନା କରି ଚଳିତ ବର୍ଷ ପ୍ରଶାସନର ସହଯୋଗରେ ସୁଚାରୁରୂପେ ଦୁର୍ଗାପୂଜା ପାଳନ କରିବାକୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।
କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ମତାମତ ରଖିଥିବା ବେଳେ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ କୁମାର ସିହ୍ନା ଗୃହୀତ ପ୍ରସ୍ତାବ ପାଠ କରିଥିଲେ। ସେହିଭଳି ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ଶ୍ରୀ ବିଜୟ କୁମାର ସାହୁ ନିଜର ମତାମତ ରଖିଥିଲେ ଏବଂ ସମ୍ପାଦକ,ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ କମିଟି ପକ୍ଷରୁ ଗୃହୀତ ପ୍ରସ୍ତାବ ପାଠ କରିଥିଲେ। ସଭାରେ ଆଂଚଳିକ ଶାନ୍ତି କମିଟି ସମ୍ପାଦକ ଶ୍ରୀ ସୁରେନ୍ଦ୍ର ମହାପାତ୍ରଙ୍କ ସମେତ ଚାଉଳିଆଗଞ୍ଜ, କାଜିବଜାର, ବାଲୁବଜାର,ଯୋବ୍ରା, ମଙ୍ଗଳାବାଗ, ଦରଘା ବଜାର ଟାଉନ ହଲ ତଥା ଅନ୍ୟାନ୍ୟ ପୂଜା କମିଟିର ସଦସ୍ୟମାନେ ପୂଜା ପୂର୍ବରୁ ବିଶେଷ କରି ମେଢ଼ ଯିବା ରାସ୍ତାରେ ଆବଶ୍ୟକୀୟ ରାସ୍ତା ଘାଟ ମରାମତି, ବିଦ୍ୟୁତ ସେବା, ମେଢ଼ ଯିବା ଗାଡି ଅନୁମତି, କେବୁଲ ଅପସାରଣ ତଥା ସୁରକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସହରର ବରିଷ୍ଠ ନେତୃବୃନ୍ଦ ଶ୍ରୀ ସୁରେଶ ମହାପାତ୍ର, ଶ୍ରୀ ଅମରେନ୍ଦୁ ମହାନ୍ତି, ଶ୍ରୀ ବଦ୍ରି ନାରାୟଣ ଦାସ, ଶ୍ରୀ ପ୍ରଫୁଲ୍ଲ ସିଂ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ଦୁର୍ଗାପୂଜା କଟକରେ ସରସ ସୁନ୍ଦର ଭାବେ ପାଳନ କରାଯିବା ସଂପର୍କରେ ବୈଠକରେ ମତାମତ ରଖିଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ ଚଳିତ ବର୍ଷ ନିୟମ ଅନୁପାଳନ ନିମନ୍ତେ ସମସ୍ତ ପୂଜା କମିଟିର ସହଯୋଗ କାମନା କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ଵାଗତିକା ବେହେରା ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ କଟକ ସଦର ଉପ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।