ରାଇରଙ୍ଗପୁର ମହାବିଦ୍ୟାଳୟରେ ପିଏମ – ଉଷା ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ରାଇରଙ୍ଗପୁର, ତାରିଖ:୨୧-୦୯-୨୦୨୬(କ: ବ୍ଯୁ)

ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପି ଏମ ଉଷା ) କ୍ରମରେ ଆଜି ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ପାଇଁ ୫ ଦିନିଆ ସଚେତନତା କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଆଜି ଠାରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଏହି ସଚେତନତା କର୍ମଶାଳା ଅନୁଷ୍ଠିତ ହେବ।
ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀ ନବ ଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ ଓ ରାଇରଙ୍ଗପୁର ବିଧାୟକ ଶ୍ରୀ ଜଲେନ ନାଏକ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ପି ଏମ ଉଷା କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ନରେନ୍ଦ୍ର କୁମାର ପାତ୍ର ଏହି ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋହର ବାରିକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅତିଥି ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଅତିଥିବୃନ୍ଦ ପିଏମ-ଉଷା ର ଲକ୍ଷ୍ୟ, ଉଦ୍ଦେଶ୍ୟ, ଉଚ୍ଚଶିକ୍ଷାର ଗୁଣବତ୍ତା ବୃଦ୍ଧି, ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ, ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶିକ୍ଷା ସୁଯୋଗ ଏବଂ ଉଚ୍ଚଶିକ୍ଷାକୁ ଅଧିକ ସମାବେଶୀ ଓ ଗୁଣାତ୍ମକ କରିବା ଦିଗରେ ଅଭିଯାନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରକାଶ ଥାଉକି ଓଡିଶାର ମୟୁରଭଞ୍ଜ, ଭଦ୍ରକ, ନବରଙ୍ଗପୁର ଓ ସମ୍ବଲପୁର ୪ଟି ଜିଲ୍ଲାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରତ୍ୟେକ ଜିଲ୍ଳାକୁ ୧୦କୋଟି ଟଙ୍କାର ଅନୁଦାନ ରାଶି ଯୋଗାଇ ଦିଆଯାଇଛି। ମୟୁରଭଞ୍ଜ ଜିଲ୍ଲାରେ ରାଇରଙ୍ଗପୁର ମହାବିଦ୍ୟାଳୟ ଓ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏଥିପାଇଁ ମନୋନୀତ କରାଯାଇଛି।

ଏହି ୫ ଦିନିଆ ସଚେତନତା କର୍ମଶାଳାରେ କନ୍ୟା ଶିକ୍ଷା, ଯୌନ ଉତ୍ପୀଡ଼ନ , ବାଲ୍ୟବିବାହ, ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ, ମାସିକ ଋତୁଶ୍ରାବ ସମୟର ପରିଚ୍ଛନ୍ନତା ଓ ମହିଳା ସଶକ୍ତିକରଣ ଇତ୍ୟାଦି ବିଭିନ୍ନ ବିଷୟ ଉପରେ ଆଲୋଚନା, ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରାଯାଇ ନିଜ ଭିତରେ ଆତ୍ମବିଶ୍ୱାସ ଓ ଦକ୍ଷତା ବୃଦ୍ଧି କରିବା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ଶିକ୍ଷଣୀୟ ଦିଗଦର୍ଶନ ଦିଆଯିବ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନଙ୍କ ମଧ୍ୟରେ PM-USHA ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ହେବା ସହ ଉଚ୍ଚଶିକ୍ଷାର ବିକାଶ ଦିଗରେ ଏହି ଅଭିଯାନର ଗୁରୁତ୍ୱ ସମ୍ପର୍କରେ ଧାରଣା ସୃଷ୍ଟି ହେବ। ଏହି କର୍ମଶାଳାରେ ୧୮ଟି ମହାବିଦ୍ୟାଳୟର ଛାତ୍ରୀ ମାନେ ଅଂଶ ଗ୍ରହଣ କରୁଛନ୍ତି।
ଆଜିର କାର୍ଯ୍ୟକ୍ରମରେ ଶ୍ରୀ ମାନସ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଶ୍ରୀ ପବିତ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଶ୍ରୀ ରାଜେଶ ରାମ, କ୍ଷୀରୋଦ କୁମାର ତୁର୍କ ଓ ମନୋରଞ୍ଜନ ମାର୍ଣ୍ଡି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *