ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )-୨୦୨୬ ଅଧୀନରେ ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ।ମୋଟ ଭୋଟର ସଂଖ୍ୟା ୧, ୯୪, ୪୩୧

ରାଇରଙ୍ଗପୁର ତା ୨୧-୦୯-୨୦୨୬(କ: ବ୍ଯୁ)

ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ–୨୦୨୬ ଅଧୀନରେ ଆଜି ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି।
ଏହି ଉପଲକ୍ଷେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଭାବେ ଵିଜେପି ଦଳର ସରୋଜ କୁମାର ମହାନ୍ତ ,କଂଗ୍ରେସ ଦଳର ଶ୍ରୀ ରୂପକ ମହାନ୍ତି, କିଶୋର ମହାନ୍ତ,ବିଜୁ ଜନତା ଦଳର ଶ୍ରୀ ନିମାଇଁ ଚରଣ ମୁର୍ମୁ , ବିରଞ୍ଚି ନାରାୟଣ ନନ୍ଦ, କଂଗ୍ରେସ ଦଳର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ପ୍ରମୁଖ ଯୋଗଦେଇଥିଲେ।

ନିର୍ବାଚନ ଆୟୋଗଙ୍କ ପତ୍ର ଅନୁଯାୟୀ, ୨୦୨୬ ମସିହା ମଇ ମାସ ୨୯ ତାରିଖରେ ଭୋଟର ତାଲିକାର ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ତଦନୁସାରେ ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା। ଉକ୍ତ ଚିଠା ଭୋଟର ତାଲିକାରେ ମୋଟ ୧,୯୩, ୮୩୭ ମତଦାତାଙ୍କ ନାମ ପଞ୍ଜିକୃତ କରାଯାଇଥିବା ବେଳେ ଗ୍ରହଣ ହୋଇଥିବା ବିଭିନ୍ନ ଆପତ୍ତି ଓ ଅଭିଯୋଗର ଶୁଣାଣି କରାଯାଇ ନିଷ୍ପତ୍ତି ଅଧାରରେ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପ୍ରକାଶିତ ହୋଇଛି। ଉକ୍ତ ଚୂଡାନ୍ତ ଭୋଟର ତାଲିକାରେ ପଞ୍ଜିକୃତ ମୋଟ ୧, ୯୪,୪୩୧ ମତଦାତାଙ୍କ ନାମ ପ୍ରକାଶ ପାଇଛି।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ବରିଷ୍ଠ ରାଜସ୍ବ ସହାୟକ ପ୍ରସାଦ କୁମାର ବେହେରା, ଦୀପକ କୁମାର ମହାନ୍ତ ଓ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *