
କଲ୍ୟାଣସିଂହପୁର , (ତପନ କୁମାର କାଡ୍ରାକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ପୋଲମା ପଞ୍ଚାୟତସ୍ଥିତ ପୋଲମା ବିଦ୍ୟାଳୟ ପାଇଁ ଏକ ଗୌରବମୟ ଖବର। ବିଦ୍ୟାଳୟର ଛାତ୍ର ସୁଶାନ୍ତ ମାଣ୍ଡିକା ଜାତୀୟ ସ୍ତରୀୟ ଜୁନିୟର ଥ୍ରୋବଲ୍ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଦଳରେ ସ୍ଥାନ ପାଇ ନିଜ ବିଦ୍ୟାଳୟ, ପରିବାର ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।ଆସନ୍ତା ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଠାକୁର ଡିଭିଜନ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପଞ୍ଚବଟୀଠାରେ ଜାତୀୟ ସ୍ତରୀୟ ଜୁନିୟର ଥ୍ରୋବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦେଶର ବିଭିନ୍ନ ରାଜ୍ୟରୁ ଚୟନିତ ଖେଳାଳିମାନେ ଏହି ପ୍ରତିଯୋଗିତାରେ ନିଜ ନିଜ ଦଳର ପ୍ରତିନିଧିତ୍ୱ କରିବେ।ଏହି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ପକ୍ଷରୁ ଅଂଶଗ୍ରହଣ କରିବା ପାଇଁ ସୁଶାନ୍ତ ମାଣ୍ଡିକା ମନୋନୀତ ହୋଇଥିବାରୁ ପୋଲମା ବିଦ୍ୟାଳୟ ସମେତ ସମଗ୍ର ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ଏକ ଗ୍ରାମାଞ୍ଚଳ ବିଦ୍ୟାଳୟର ଛାତ୍ର ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇବା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣାର ବିଷୟ ପାଲଟିଛି।ସୁଶାନ୍ତଙ୍କ ଏହି ସଫଳତା ପଛରେ ବିଦ୍ୟାଳୟର ଖେଳ ଶିକ୍ଷକ ବାବୁଲା ମେଲେକାଙ୍କ ମାର୍ଗଦର୍ଶନ, ନିୟମିତ ପ୍ରଶିକ୍ଷଣ ଓ ଉତ୍ସାହ ପ୍ରଦାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଜଣାପଡ଼ିଛି। ଖେଳ ଶିକ୍ଷକଙ୍କ ନିରନ୍ତର ପ୍ରୟାସ ଓ ଛାତ୍ରଙ୍କ ଅଧ୍ୟବସାୟ ତାଙ୍କୁ ଏହି ସଫଳତା ହାସଲ କରିବାରେ ସହାୟକ ହୋଇଛି।ଛାତ୍ର ସୁଶାନ୍ତ ମାଣ୍ଡିକାଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଜାତୀୟ ସ୍ତରରେ ସୁଶାନ୍ତ ଉତ୍ତମ ପ୍ରଦର୍ଶନ କରି ରାୟଗଡ଼ା ଜିଲ୍ଲା ତଥା ଓଡ଼ିଶାର ଗୌରବ ବୃଦ୍ଧି କରନ୍ତୁ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି।ଏଥି ସହିତ, ଗ୍ରାମାଞ୍ଚଳରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ଉପଯୁକ୍ତ ପ୍ରଶିକ୍ଷଣ ଓ ସୁଯୋଗ ପ୍ରଦାନ କରାଗଲେ ଆଗାମୀ ଦିନରେ ଆହୁରି ଅନେକ ଛାତ୍ରଛାତ୍ରୀ ରାଜ୍ୟ ତଥା ଜାତୀୟ ସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ ବୋଲି ମତ ପ୍ରକାଶ ପାଇଛି।