ନାରୀଶକ୍ତି ଓ ଓଡ଼ିଶାର ଗୌରବମୟ ରାଜନୈତିକ ଇତିହାସର ପ୍ରତୀକ ନନ୍ଦିନୀ ଶତପଥୀ , କେଏମସି ପକ୍ଷରୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ, ୧୮/୦୯: ଓଡ଼ିଶାର ପୂର୍ବତନ ତଥା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ନାରୀନେତ୍ରୀ ଓ ନାରୀଶକ୍ତିର ଏକ ବଳିଷ୍ଠ ପ୍ରତୀକ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ସ୍ମୃତି ଓ ଅବଦାନକୁ ଚିରସ୍ଥାୟୀ କରିବା ଉଦ୍ଦେଶ୍ୟରେ କଟକ ମହାନଗର ନିଗମ ପକ୍ଷରୁ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଶୁକ୍ରବାର ଦିନ ଉନ୍ମୋଚିତ ହୋଇଛି। କେଏମସିର ୯ ନମ୍ବର ୱାର୍ଡ ଅନ୍ତର୍ଗତ ଦୟାଶ୍ରମ ପାର୍କ ପରିସରରେ ସ୍ଥାପିତ ଏହି ପ୍ରତିମୂର୍ତ୍ତି ଆଗାମୀ ପିଢ଼ି ପାଇଁ ନନ୍ଦିନୀ ଶତପଥୀଙ୍କ ଜୀବନ, ସଂଘର୍ଷ, ନେତୃତ୍ୱ ଓ ଜନସେବାର ସ୍ମୃତିକୁ ଜୀବନ୍ତ ରଖିବ।

ଏହି ଅବସରରେ ଦୟାଶ୍ରମ ପାର୍କ ପରିସରରେ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ ଆୟୋଜିତ ହୋଇଥିଲା। କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ।

ସ୍ୱତନ୍ତ୍ର ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇଥିବା ବେଳେ ବାରବାଟୀ-କଟକର ବିଧାୟିକା ଇଂ. ସୋଫିଆ ଫିର୍ଦୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସେହିପରି ପୂର୍ବତନ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା, ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ ସିଂହ, ଶ୍ରୀମତୀ ସ୍ମୃତି ପଟ୍ଟନାୟକ, କେଏମସି କମିଶନର ସୁଶ୍ରୀ କିରନଦୀପ୍ କୌର ସହୋତା, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ଦୈନିକ ‘ସମାଜ’ର ପୂର୍ବତନ ସମ୍ପାଦକ ଶ୍ରୀ ସତ୍ୟ ରାୟ, ବିଶିଷ୍ଟ ସମାଜସେବୀ ସୁଶ୍ରୀ ଶୈଳ ଦାସ, ଆଇନଜୀବୀ ଅମରେନ୍ଦୁ ମହାନ୍ତି, ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ଣ୍ଣ ଶତପଥି, ସାଂସ୍କୃତିକ ଚିତ୍ତବିନୋଦନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମୋନାଲିସା ଦାସ, ଲାଇସେନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଏ. ଶ୍ରୀଦେବୀ, ଜନଶୁଣାଣି ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ପ୍ରଳୟା ବେଉରା, ପ୍ଲାନିଂ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ରାଉତ, ସ୍ଥାନୀୟ ତଥା ୯ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀ ବିକାଶ ବେହେରାଙ୍କ ସମେତ କେଏମସିର ଅନ୍ୟାନ୍ୟ କର୍ପୋରେଟର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ସ୍ମୃତିଚାରଣ କରିଥିଲେ।

ବକ୍ତାମାନେ କହିଥିଲେ ଯେ, ଓଡ଼ିଶାର ସାମାଜିକ, ରାଜନୈତିକ ଓ ପ୍ରଶାସନିକ ଇତିହାସରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତ୍ୟନ୍ତ ସ୍ୱତନ୍ତ୍ର। ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଶାର ରାଜନୀତିରେ ମହିଳା ନେତୃତ୍ୱର ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଥିଲେ। ଦୃଢ଼ ନେତୃତ୍ୱ, ନିର୍ଭୀକ ଚିନ୍ତାଧାରା ଓ ଜନସାଧାରଣଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ତାଙ୍କୁ ଓଡ଼ିଶାର ସାର୍ବଜନୀନ ଜୀବନରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା।

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବା ସମୟରେ ନନ୍ଦିନୀ ଶତପଥୀ ଓଡ଼ିଶାର ସାମଗ୍ରିକ ବିକାଶ ସହ କଟକ ସହରର ବିକାଶ ଦିଗରେ ମଧ୍ୟ ଗୁରୁତ୍ୱ ଦେଇଥିଲେ। କଟକର ବିକାଶ ଓ ଜନଜୀବନ ସହ ତାଙ୍କର ନିବିଡ଼ ସମ୍ପର୍କ ତାଙ୍କୁ କଟକବାସୀଙ୍କ ମନରେ ଏକ ସ୍ମରଣୀୟ ବ୍ୟକ୍ତିତ୍ୱ ଭାବେ ପ୍ରତିଷ୍ଠିତ କରିଛି।

ନନ୍ଦିନୀ ଶତପଥୀ କେବଳ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନଥିଲେ, ସେ ଥିଲେ ଏକ ପ୍ରେରଣାଦାୟୀ ମହିଳା ନେତୃତ୍ୱର ପ୍ରତୀକ। ତାଙ୍କର ରାଜନୈତିକ ଜୀବନ ଓ ସାର୍ବଜନୀନ କାର୍ଯ୍ୟ ଓଡ଼ିଶାର ମହିଳାମାନଙ୍କୁ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଆଗକୁ ଆସିବା ପାଇଁ ପ୍ରେରଣା ଦେଇଆସିଛି। ଜାତୀୟ ରାଜନୀତିରେ ମଧ୍ୟ ତାଙ୍କର ଏକ ସ୍ୱତନ୍ତ୍ର ପ୍ରଭାବ ଓ ପରିଚୟ ରହିଥିଲା।
ଏହି ପ୍ରତିମୂତ୍ତିକୁ ନିର୍ମାଣ କରିଥିବା ଶିଳ୍ପୀ ଲକ୍ଷ୍ମୀଧର ରଣା ଓ ବିଶିଷ୍ଟ ଚିତ୍ରଶିଳ୍ପୀ ରବିନାରାୟଣ ରଥଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *