


ରାୟଗଡ଼, (ତପନ କୁମାର କାଡ୍ରାକା )ରାୟଗଡ଼ ବ୍ଲକ୍ର ବଡ଼ ଇରୁକୁବାଡ଼ି ପଞ୍ଚାୟତ ଅଧୀନସ୍ଥ ବନବାସୀ ଅଞ୍ଚଳର ବାଲାପାଡୁ ଗ୍ରାମରେ ଅସହାୟ ବନବାସୀ ବୃଦ୍ଧ ପିତାମାତାଙ୍କୁ ଛତା ଓ ଅଙ୍ଗବସ୍ତ୍ର ଏବଂ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି।
ସେବାନିବୃତ୍ତ ଶିକ୍ଷକ, ସାରସ୍ୱତ ସାଧକ ତଥା ସମାଜସେବୀ ଜୟଦେବ ସିଠଙ୍କ ତତ୍ତ୍ୱାବଧାନ ଓ ଉଦ୍ୟମରେ ଏହି ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସାରସ୍ୱତ ସାଧକ ତଥା ସମାଜସେବୀ ସଦାଶିବ ରାଜଗୁରୁ ସହଯୋଗ କରିବା ସହ ଉପସ୍ଥିତ ପିତାମାତା ଓ ଯୁବକ-ଯୁବତୀଙ୍କୁ ସାମାଜିକ ଓ ସାଂସ୍କୃତିକ ମାର୍ଗଦର୍ଶନ ଦେଇଥିଲେ।
ପିଲାମାନଙ୍କ ପାଠପଢ଼ା ପ୍ରତି ପିତାମାତା ଧ୍ୟାନ ଦେବା ସହ ଗ୍ରାମରେ ମିଳିମିଶି ଚଳିବା, ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ କରିବା ଏବଂ ଗ୍ରାମ ପରିବେଶର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା।
ଏହି ଅବସରରେ ଜୟଦେବ ସିଠ ଗ୍ରାମବାସୀଙ୍କୁ ବେଲ, ତୁଳସୀ ଓ ଅଁଳା ଭଳି ଗଛ ଲଗାଇବା, ଗୋ-ସୁରକ୍ଷା, ନିଶାଦ୍ରବ୍ୟ ବର୍ଜନ, ଚାଷଜମିରେ ଜୈବିକ ସାର ବ୍ୟବହାର, ନିଜ ସଂସ୍କୃତି ଓ ପରମ୍ପରାକୁ ମାନି ଚଳିବା ଏବଂ ଅନ୍ଧବିଶ୍ୱାସଠାରୁ ଦୂରେ ରହିବା ନେଇ ସଚେତନ କରିଥିଲେ। ଯୁବକମାନଙ୍କୁ ହନୁମାନ ଚାଳିଶା ବଣ୍ଟନ କରି ଏହାର ପାଠ ଓ ମହତ୍ତ୍ୱ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ବିଦ୍ୟାଳୟ କମିଟି ସଭାପତି ଈଶ୍ୱର ମିଣିଆକା ଓ ପ୍ରଧାନଶିକ୍ଷକ ବଳରାମ ମେଲେକାଙ୍କ ଅନୁମତିକ୍ରମେ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ଏହାପରେ ଶ୍ରୀ ସିଠ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶିକ୍ଷଣ କାର୍ଯ୍ୟକ୍ରମ କରିଥିଲେ।
କାର୍ଯ୍ୟକ୍ରମରେ ୱାର୍ଡ ସଦସ୍ୟ ଗୁତାନା ମିଣିଆକା, ଅଙ୍ଗନୱାଡି କର୍ମୀ ବାମି ମିଣିଆକା, ଆଶାକର୍ମୀ ଗାଙ୍ଗାମା କୌଶଲ୍ୟାଙ୍କ ସମେତ ଗ୍ରାମର ବହୁ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଭାରତମାତା ପୂଜନ, ହରେକୃଷ୍ଣ-ହରେରାମ ଭଜନ ଏବଂ ‘ଭାରତମାତା କି ଜୟ’, ‘ଜୟ ଜଗନ୍ନାଥ’, ‘ଜୟ ଶ୍ରୀରାମ’ ଧ୍ୱନିରେ କାର୍ଯ୍ୟକ୍ରମସ୍ଥଳ ମୁଖରିତ ହୋଇଥିଲା। ଅନ୍ତେ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା। ସମାଜସେବୀ ଲଳିତ ମୋହନ ଜେନା ସମାଜ ସୁଧାର ସମ୍ପର୍କିତ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।