

କଟକ : ଆସନ୍ତା ଦୁର୍ଗାପୂଜା ପୂର୍ବରୁ ସହରର ରାସ୍ତା ଘାଟ ଗୁଡ଼ିକ ତୁରନ୍ତ ମରାମତି କରିବା ପାଇଁ କଟକ ମହାନଗର ଶାନ୍ତି କମିଟି ଏବଂ ବିଭିନ୍ନ ସାହି କମିଟି ପକ୍ଷରୁ ଶାରଦୀୟ ଦୁର୍ଗା ପୂଜା ଓ ଭସାଣୀ ଉତ୍ସବ ପ୍ରସ୍ତୁତି ବୈଠକରେ ଦାବି କରିଛନ୍ତି। କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଆଜି ରବିବାରଦିନ ଶହୀଦ ଭବନ ଠାରେ ଆସନ୍ତା ଶାରଦୀୟ ଦୁର୍ଗା ପୂଜା ଏବଂ ଭସାଣି ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ପରଲୋକ ଗତ ଶାନ୍ତି କମିଟିର ସଦସ୍ୟ ମାନଙ୍କର ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶାନ୍ତି କମିଟିର ସମ୍ପାଦକ….ଏକ ରିପୋର୍ଟ ଉପସ୍ଥାପନ କରି କେତେକ ପ୍ରସ୍ତାବ ଆଗତ କରିଥିଲେ। ଚଳିତ ବର୍ଷ ଅକ୍ଟୋବର 16 ତାରିଖ ଦିନ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇ ଅକ୍ଟୋବର 21 ଓ 22 ତାରିଖ ଦୁଇ ଦିନ ଧରି ଭସାଣି ଉତ୍ସବ ଅନୁଷ୍ଠିତ ହେବ। ସମସ୍ତ ପ୍ରତିମା ଗୁଡ଼ିକ ପୁରୀ ଘାଟ ସ୍ଥିତ ଦେବୀ ଗଡା ଠାରେ କୃତ୍ରିମ ଜଳା ଶ୍ରୟରେ ପ୍ରତିମା ଗୁଡ଼ିକ ବିସର୍ଜିତ କରାଯିବ। ମହାନଗର ନିଗମ ପକ୍ଷରୁ ତୁରନ୍ତ ଅଳିଆ ଆବର୍ଜନା ଉଠାଇ ନିଆଯିବ। ଚଳିତ ବର୍ଷ କଟକ ମହାନଗର ନିଗମ ଅଞ୍ଚଳରେ 170 ରୁ ଉର୍ଦ୍ଧ୍ବ ମା ଦୂର୍ଗା,ହରପାର୍ବତୀ, ଏବଂ ବିଭିନ୍ନ ପ୍ରତିମା ଗୁଡ଼ିକ ପୂଜା ପାଇବେ। ବିଭିନ୍ନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ରାତି 12 ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମେଢ଼ ଶୋଭା ଯାତ୍ରାରେ ବାଜା ବଜାଇବା ପାଇଁ ଅନୁମତି ଲୋଡ଼ା ଯାଇଛି।ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ମେଢ଼ ଶୋଭାଯାତ୍ରାରେ ଡି ଜେ ସାଉଣ୍ଡ କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଦୁର୍ଗା ପୂଜା ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ର ଟ୍ରାଫିକ ବିଭାଗକୁ ଅନୁରୋଧ କରାଯାଇଛି। ସେହି ଭଳି ପ୍ରସ୍ତୁତି ବୈଠକ ରେ କମିଶନରେଟ ପୋଲିସ ପକ୍ଷରୁ ଜବରଦସ୍ତ ଚାନ୍ଦା ଆଦାୟ ଉପରେ ପୂଜାକମିଟି ମାନଙ୍କୁ ଚେତାବନୀ ଦିଆଯାଇଛି। ଜୋରଜବରଦସ୍ତ ଚାନ୍ଦା ଆଦାୟ କରିଲେ ଚାନ୍ଦା ଆଦାୟ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 22 ତାରିଖ ଭସାଣି ଦିନ ବିଭିନ୍ନ ମଣ୍ଡପରୁ ସକାଳୁ ସକାଳୁ ମେଢ଼ ଗୁଡ଼ିକ ଭାହରି ନିଜ ନିଜ ଅଞ୍ଚଳ ପରିକ୍ରମା ପରେ ବିସର୍ଜନ ପାଇଁ କାଠ ଯୋଡ଼ି ନଦୀ ଅଭିମୁଖେ ଯାତ୍ରା କରିବେ। ମେଢ଼ ଶୋଭା ଯାତ୍ରାରେ ଯେପରି କୌଣସି ଅପ୍ରୀତି କର ପରିସ୍ଥିତି ଏବଂ ଗଣ୍ଡଗୋଳ ନ ହୁଏ ସେଥିପ୍ରତି ବିଭିନ୍ନ ପୂଜାକମିଟି ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ସାହି କମିଟି ମେଢ଼ ଶୋଭା ଯାତ୍ରା ପାଇଁ ସ୍ଥାନୀୟ ପୋଲିସ ଥାନା ନିକଟରୁ ଅନୁମତି ନେବେ। ମୋଟାମୋଟି ଭାବରେ ଶାରଦୀୟ ଦୁର୍ଗା ପୂଜା ଏବଂ ଭସାଣି ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ପାଳନ କରିବା ପାଇଁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ରେ ନିଷ୍ପତି ନିଆଯାଇଛି। ଶୋଳ ପୁଅ ମା ପୂଜାକମିଟି ପକ୍ଷରୁ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ କଟକ ପୂଜା କମିଟିର ସମ୍ପାଦକ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ମେୟର ସୁବାସ ସିଂ, ଦେବାଶିଷ ସାମନ୍ତ ରାଏ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ପ୍ରଭାତ ରଞ୍ଜନ ବିଶ୍ୱାଳ, ସୁରେଶ ମହାପାତ୍ର, ନୟନ କିଶୋର ମହାନ୍ତି, ମହମ୍ମଦ ମୋକିମ, ପ୍ରଫୁଲ୍ଲ ସିଂ,କମିଶନର କିରଣ ଦୀପ କୌର, ଅତିରିକ୍ତ ଜିଲ୍ଲା ପାଳ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ର ନେତା ମାନେ ବୈଠକରେ ଉପସ୍ଥିତ ଥିଲେ।