୨୭ତମ ଭାରତ ପ୍ରତିଭା ସମ୍ମାନ ସହ ପ୍ରତିଷ୍ଠା ଦିବସ ପାଳିତ


କଟକ, ୧୪।୦୯: ରାଜ୍ୟର ଅଗ୍ରଣୀ ମସଲା ଉଦ୍ୟୋଗ ‘ଭାରତ ମସଲା’ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ୨୭ତମ ‘ଭାରତ ପ୍ରତିଭା ସମ୍ମାନ’ ଓ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। କଟକ ସହିଦ ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶୁ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ।
ଏହି ଅବସରରେ କିଟ୍‌, କିମ୍ସ ଓ କିସ୍‌ର ପ୍ରତିଷ୍ଠାତା ତଥା ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ‘ଭାରତ ଗୌରବ ସମ୍ମାନ’, ଭାରତୀୟ ନୌସେନାର ଭାଇସ୍ ଆଡମିରାଲ୍‌ କ୍ୟାପ୍ଟେନ୍‌ ରମାକାନ୍ତ ପଟ୍ଟନାୟକଙ୍କୁ ‘ସେବା ଭାରତ ସମ୍ମାନ’, ସମାଜବିଜ୍ଞାନୀ, ଭାଷାତତ୍ତ୍ୱବିତ୍‌ ଓ ସାରସ୍ୱତ ସାଧକ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘କଥା ଭାରତ ସମ୍ମାନ’, ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ତୃପ୍ତି ଦାଶଙ୍କୁ ‘ସଂସ୍କୃତି ଭାରତ ସମ୍ମାନ’ ଏବଂ କ୍ରୀଡ଼ା କ୍ଷେତ୍ରରେ ସଫଳ କ୍ରିକେଟର ରାଜେଶ କୁମାର ମହାନ୍ତିଙ୍କୁ ‘କ୍ରୀଡ଼ା ଭାରତ ସମ୍ମାନ’ ପ୍ରଦାନ କରାଯାଇଥିଲା।
ସେହିପରି ଲଘୁ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମ୍ବଲପୁର ଜିଲ୍ଲା ବବ୍ରିବାହାଲ, ବାମରା ଅଞ୍ଚଳର ଲତା ବାଗ୍‌ ଓ ପୁଷ୍ପଲତା ସାହୁଙ୍କୁ ‘ଉଦ୍ୟୋଗୀ ଭାରତ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ +୨ ବିଜ୍ଞାନ, ବାଣିଜ୍ୟ ଓ କଳାରେ ମେଧାବୀ ବିଦ୍ୟାର୍ଥୀ କମଳାକାନ୍ତ ରଣା, ଶୁଭମ୍‌ ନାୟକ ଓ ଅଙ୍କିତା ନାୟକଙ୍କୁ ‘ବିଦ୍ୟା ଭାରତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ଏଥିସହ ଜୟ ଭାରତ ଫାଉଣ୍ଡେସନ୍‌କୁ ସହଯୋଗ କରି ଆସୁଥିବା ଭାରତ ମସଲା ପକ୍ଷରୁ ଶିଳ୍ପ କ୍ଷେତ୍ରରେ ନୂତନ ପରିଚୟ ସୃଷ୍ଟି କରି ରାଜ୍ୟର ନାମକୁ ଶୀର୍ଷରେ ପହଞ୍ଚାଇଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କୁ ‘ଉଦ୍ୟୋଗ ଭାରତ ସମ୍ମାନ’ ପ୍ରଦାନ କରାଯାଇଥିଲା।
୧୯୯୯ ମସିହାରୁ ଯାତ୍ରା ଆରମ୍ଭ କରିଥିବା ଭାରତ ମସଲା ଆଜି ନିଜର ମାନ, ପରିମାଣ ଓ ଗୁଣବତ୍ତା ପାଇଁ ଦେଶ ତଥା ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କେବଳ ବ୍ୟବସାୟିକ କ୍ଷେତ୍ରରେ ନୁହେଁ, ରାଜ୍ୟରେ ଘଟୁଥିବା ବିଭିନ୍ନ ବିପର୍ଯ୍ୟୟ ସମୟରେ ମଧ୍ୟ ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇ ଭାରତ ମସଲା ସହଯୋଗର ହାତ ବଢ଼ାଇ ଆସୁଛି ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଥିଲେ।

Leave a Reply

Your email address will not be published. Required fields are marked *