କଟକ : କଟକ ଆଜି ରବିବାର ଆନ୍ତର୍ଜାତିକ ଯୋଗ ଦିବସ। ସମଗ୍ର ବିଶ୍ଵ ୧୨ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରୁଛି। କଟକ ସହରରେ ସରକାରୀ, ବେସରକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ସଂସ୍ଥା ଓ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଯୋଗ କରାଯାଇଛି। ସହରର ବିଭିନ୍ନ ଖୋଲାପଡିଆ ଠାରୁ ଆରମ୍ଭ କରି ପାର୍କ ଏବଂ କୋଠଛାତ ଉପରେ ଯୋଗ କରାଯାଉଛି। ଚଳିତ ବର୍ଷ ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ ଏହି ବିଷୟବସ୍ତୁକୁ ନେଇ ଯୋଗ ଦିବସ ପାଳନ କରାଯାଇଛି। ଯୋଗ ହେଉଛି ଭାରତର ଏକ ପ୍ରାଚୀନ ଏବଂ ଅମୂଲ୍ୟ ଐତିହ୍ୟ। ଏହା କେବଳ ଶାରୀରିକ ବ୍ୟାୟମ ନୁହେଁ ବରଂ ମନ, ଶରୀର ଓ ଆତ୍ମାକୁ ଏକାଠି କରିବାର ଏକ ମାଧ୍ୟମ। ଯୋଗ ଦ୍ଵାରା ହିଁ ମଣିଷ ସୁସ୍ଥ ସବଳ ରହିଥାଏ ବୋଲି ବହୁ ବିଶିଷ୍ଟ ଅତିଥି ଏବଂ ଯୋଗଗୁରୁମାନେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରକାଶ କରିଛନ୍ତି। ପତଞ୍ଜଳି ଯୋଗପୀଠ ପରିବାର ପକ୍ଷରୁ ବାରବାଟୀ ଷ୍ଟାଡିୟମ ଠାରେ ଯୋଗ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିଲେ। ଯୋଗଗୁରୁ ସୁନୀଲ ଶର୍ମା ଓ ଯୋଗଗୁରୁ କିଶୋର ସାଗର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ସିଡିଏ ସ୍ଥିତ ଜୟପ୍ରକାଶ ପାର୍କ ଠାରେ ସମୂହ ଯୋଗାସନ ପରିବେଷଣ କରଯାଇଥିଲା। ଡ: ସତ୍ୟ ରାୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏନସିସି ନାଭାଲ ଇଉନିଟ ପକ୍ଷରୁ ବାଲିଯାତ୍ରା ପଡିଆ ଠାରେ ସମୂହ ଯୋଗାସନ ପ୍ରଦର୍ଶନ କରାଯାଇଛି। ଏହା ବ୍ୟତୀତ ଓଡିଶା ହାଇକୋର୍ଟ ଏବଂ ବିଭିନ୍ନ ବାର ଆସୋସିଏସନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଯୋଗାସନ କରାଯାଇଥିଲା। ଏଠାରେ ସୁଚାଇ ଦିଆଯାଇପାରେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖ ଦିନ ମିଳିତ ଜାତିସଙ୍ଘର ସାଧାରଣ ଅଧିବେଶନରେ ପ୍ରଥମ କରି ଯୋଗ ଦିବସ ପାଳନ କରିବାପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ବିଶ୍ଵର ବହୁ ଦେଶର ସମର୍ଥନ ମିଳିଥିଲା ଏବଂ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାପାଇଁ ଘୋଷଣା କରାଗଲା। ୨୦୧୫ ମସିହା ଠାରୁ ଜୁନ ୨୧ ତାରିଖ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳିତ ହୋଇଆସୁଛି। ଯୋଗର ଉପକାରିତା ଶାରୀରିକ ସୁସ୍ଥତା ଏବଂ ଯୋଗାସନ ଦ୍ଵାରା ଶରୀର ନମନୀୟ ହୁଏ, ରକ୍ତ ସଂଚାଳନ ଠିକ ରହେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଏ। ଆଜି କଟକ ସହରରେ ସର୍ବତ୍ର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଯୋଗାସନ କରାଯାଉଛି।