

କଟକ, ତା୫.୦୬.୨୦୨୬ ରିଖ -ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଗ୍ରାସରୁଟ୍ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ଓ ଚିହ୍ନଟ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ ଅୟୋଜିତ ହେଉଛି। ଜୋନ୍ ସ୍ତରୀୟ କବାଡ଼ି ଚାମ୍ପିଅନସିପ୍–୨୦୨୬ର ପ୍ରଥମ ସଂସ୍କରଣ ଆଜି କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଉଦ୍ଘାଟିତ ହୋଇଯାଇଛି। ପ୍ରତିଯୋଗିତାରେ କଟକ ଜିଲ୍ଲା ସମେତ ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର ମୋଟ ୮ଟି ଦଳରେ ଉଭୟ ବାଳକ ଓ ବାଳିକା ଅଂଶଗ୍ରହଣ କରିଛନ୍ତି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂସଦ ଡଃ ଭର୍ତୁହରି ମହତାବ କହିଲେ ଯେ, ଯୁବ ଖେଳାଳିମାନେ ନିଜକୁ ଆନ୍ତର୍ଜାତିକ ସ୍ତରରେ ସାମିଲ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। କବାଡ଼ି ହେଉଛି ଭାରତର ସ୍ଵଦେଶ କ୍ରୀଡ଼ା । କ୍ରୀଡ଼ା କ୍ଷେତ୍ରରେ ନିପୁଣତା ହାସଲ କରିବାକୁ ହେଲେ ନିରନ୍ତର ପରିଶ୍ରମ, ଅଭ୍ୟାସ ଏବଂ ଉପଯୁକ୍ତ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ। ଝାରସୁଗୁଡ଼ାର ଜଣେ ଦୌଡ଼ାଳିଙ୍କ ସଫଳତା ସମ୍ପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ । ଯାହା ଓଡ଼ିଶାର କ୍ରୀଡ଼ା ପ୍ରତିଭା ପାଇଁ ଗର୍ବର ବିଷୟ । ପ୍ରଥମ ଦିନରେ ବାଳିକା ବିଭାଗ ର ପ୍ରଥମ ମ୍ୟାଚ୍ରେ ପୁରୀ ଜିଲ୍ଲା ୪୯–୩୩ ପଏଣ୍ଟରେ ଜଗତସିଂହପୁର ଜିଲ୍ଲାକୁ ପରାସ୍ତ କରି ୧୬ ପଏଣ୍ଟ ବ୍ୟବଧାନରେ ବିଜୟୀ ହୋଇଛି ଏବଂ ବାଳକ ବିଭାଗ ର ପ୍ରଥମ ମ୍ୟାଚ୍ରେ ଯାଜପୁର ଜିଲ୍ଲା ୪୭–୩୭ ପଏଣ୍ଟରେ ଖୋର୍ଦ୍ଧା ଜିଲ୍ଲାକୁ ପରାସ୍ତ କରି ୧୦ ପଏଣ୍ଟ ବ୍ୟବଧାନରେ ବିଜୟ ହାସଲ କରିଛି । ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟିକା ଶ୍ରୀମତୀ ସୋଫିଆ ଫିରଦୋସ ଯୋଗଦେଇ ଅଂଶଗ୍ରହଣ କରିଥିବା ଦଳ ଗୁଡିକୁ ଶୁଭେଚ୍ଛା ଜଣାଇଥିଲେ । ବରିଷ୍ଠ ସଦସ୍ୟ ଶ୍ରୀ ନୟନ ମହାନ୍ତି, ଓଡ଼ିଶା ଅଲିମ୍ପିକ୍ ସଂଘର ସମ୍ପାଦକ ଶ୍ରୀ ଅଭିଜିତ ପାଲ୍, ବିଶିଷ୍ଟ ଅଭିନେତା ତଥା ସଦସ୍ୟ ଶ୍ରୀ ଶ୍ରୀତମ ଦାସ, ଓଡ଼ିଶା ଫେନ୍ସିଂ ଆସୋସିଏସନ୍ର ସମ୍ପାଦକ ଶ୍ରୀ ଦେବେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ତଥା ଓଡ଼ିଶା କବାଡ଼ି ଆସୋସିଏସନ୍ର ସମ୍ପାଦକ ଶ୍ରୀ ଅଜୟ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଓଡ଼ିଶା ସାଇକେଲିଂ ଆସୋସିଏସନ୍ର ଶ୍ରୀ ପ୍ରସନ୍ନ ରାଉତ ଏବଂ ଜେ.ଏନ୍. ଇନ୍ଡୋର ଷ୍ଟାଡିୟମ୍ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ଉପସ୍ଥିତ ଥିଲେ। ସଭାରେ ଓଡ଼ିଶା କବାଡ଼ି ଆସୋସିଏସନ୍ର ଉପସଭାପତି ଶ୍ରୀ ପୃଥ୍ୱୀରାଜ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା କବାଡ଼ି ଆସୋସିଏସନ୍ର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଜୟଶ୍ରୀ ସ୍ୱାଇଁ ଏବଂ ଚୟନ ସମିତିର ଅଧ୍ୟକ୍ଷ ଶ୍ରୀ ଶୁଭ୍ରାଂଶୁ ଶେଖର ବେହେରା ପ୍ରତିଯୋଗିତାର ତଦାରଖ ଦାୟିତ୍ୱ ନିର୍ବାହ କରୁଛନ୍ତି। ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହିତ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରତିଷ୍ଠିତ ହେବାର ସୁଯୋଗ ପ୍ରଦାନ କରିବା ମୁଖ୍ୟମନ୍ତ୍ରୀ ଟ୍ରଫି ର ମୂଳ ଲକ୍ଷ୍ୟ ।