କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRକୁ ନେଇ ଆଜି ଏକ ବିଶାଳ ବିକ୍ଷୋଭ

କଟକ , 28/9 : କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRକୁ ନେଇ ଆଜି ଏକ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ଶତାଧିକ କଂଗ୍ରେସ କର୍ମୀ ଓ ନେତା ଏକାଠି ହୋଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ରାଲି କରିବା ସହ ବିଭିନ୍ନ ନାରା ଦେଇ ପ୍ରତିବାଦ ଜଣାଇଥିଲେ। ପରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ପଦରୁ ହଟାଇବା ଓ ତାଙ୍କ ବିରୋଧରେ ଗିରଫ ଦାବି କରିବା ସହ ଭୋଟର ତାଲିକାରେ ଚାଲିଥିବା SIR ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ଦଳ ଦାବି କରିଛି। ଏଥିସହିତ ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରୁ ଭୁଲବଶତଃ ବାଦ ପଡ଼ିଛି, ସେମାନଙ୍କ ନାମ ପୁନଃ ତାଲିକାରେ ସାମିଲ କରି ମତଦାନ ଅଧିକାର ସୁନିଶ୍ଚିତ କରିବାକୁ କଂଗ୍ରେସ ଦାବି ଉଠାଇଛି। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ଦେଶବ୍ୟାପୀ ରାଜନୈତିକ ବିତର୍କ ମଧ୍ୟରେ କଂଗ୍ରେସ ଏହି ଆନ୍ଦୋଳନକୁ ତୀବ୍ର କରିଛି। ସେପ୍ଟେମ୍ବର ୨୫ରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ମଧ୍ୟ ଏହି ପ୍ରସଙ୍ଗରେ ବିକ୍ଷୋଭ ହୋଇଥିଲା ଏବଂ ଏହା ପରେ ସେପ୍ଟେମ୍ବର ୨୮ରେ ସମସ୍ତ ଜିଲ୍ଲା କଂଗ୍ରେସ କମିଟିକୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା। ଏହି କ୍ରମରେ କଟକରେ ମଧ୍ୟ କଂଗ୍ରେସ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ବିଜେପି ସରକାର ବିରୋଧରେ ତୀବ୍ର ପ୍ରତିବାଦ କରିବା ସହ ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତା ଓ ଯୋଗ୍ୟ ଭୋଟରଙ୍କ ମତଦାନ ଅଧିକାର ସୁରକ୍ଷା ପାଇଁ ଦାବି ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *