ସେବା ସଂକଳ୍ପ ଅଭିଯାନ ଅବସରରେ HOPE ରାଜଗାଙ୍ଗପୁରରେ ଦିବ୍ୟାଙ୍ଗ ସହାୟତା ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ


ରାଜଗାଙ୍ଗପୁର: (କ.ବ୍ୟୁ.)ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ (SSEPD) ଅଧୀନରେ ଚାଲିଥିବା ସେବା ସଂକଳ୍ପ ଅଭିଯାନ ଅବସରରେ HOPE, ରାଜଗାଙ୍ଗପୁର ପକ୍ଷରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଇଁ ଦିବ୍ୟାଙ୍ଗ ସହାୟତା ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । HOPE, ରାଜଗାଙ୍ଗପୁରର ସମ୍ପାଦକ ଆଶୀର୍ବାଦ ସାମଲଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ HOPEର ଶିକ୍ଷକମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଦିବ୍ୟାଙ୍ଗ ସହାୟତା ସଚେତନତା କାର୍ଯ୍ୟକ୍ରମରେ ରାଜଗାଙ୍ଗପୁରର BSSO ରାମକୃଷ୍ଣ ମୁଣ୍ଡାରୀ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ସେ ଦିବ୍ୟାଙ୍ଗଜନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସରକାରୀ ସହାୟତା, କଲ୍ୟାଣକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଏଥିସହ ଅଭିଭାବକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ସରକାରୀ ଯୋଜନାଗୁଡ଼ିକର ସୁବିଧା କିପରି ପାଇପାରିବେ ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ସେହିପରି ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ରାଜଗାଙ୍ଗପୁରର ସିନିୟର ବ୍ରାଞ୍ଚ ମ୍ୟାନେଜର ସୁଶ୍ରୀ ଶୁଭାଖ୍ୟାନା ସ୍ୱାଇଁ ଏବଂ PNB MetLifeର ଆସିଷ୍ଟାଣ୍ଟ ମ୍ୟାନେଜର ସୁଶ୍ରୀ ନଫିସା ପରବୀନ ଯୋଗଦେଇଥିଲେ। ସେମାନେ ସାଇବର ଠକେଇ, ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ, OTP ଓ PINର ଗୋପନୀୟତା, ସନ୍ଦେହଜନକ ଲିଙ୍କ, ଅନଲାଇନ ଠକେଇ ଏବଂ ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟର ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସଚେତନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗଦେଇ ସଚେତନତା ଅଧିବେଶନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଦିବ୍ୟାଙ୍ଗ ସହାୟତା ଓ ସାଇବର ସୁରକ୍ଷା ସମ୍ପର୍କରେ ଆୟୋଜିତ ଏହି ଦୁଇଟି ଅଧିବେଶନ ଅଂଶଗ୍ରହଣକାରୀମାନଙ୍କୁ ଅନେକ ଉପଯୋଗୀ ଓ ବ୍ୟବହାରିକ ତଥ୍ୟ ପ୍ରଦାନ କରିଥିଲା। ସେବା ସଂକଳ୍ପ ଅଭିଯାନ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦିବ୍ୟାଙ୍ଗଜନ ଓ ସେମାନଙ୍କ ପରିବାରକୁ ସଚେତନ କରିବା, ସଶକ୍ତ କରିବା ଏବଂ ଉପଲବ୍ଧ ସରକାରୀ ସେବା ଓ ସୁବିଧା ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବା। କାର୍ଯ୍ୟକ୍ରମରେ ଯୋଗଦେଇ ମୂଲ୍ୟବାନ ତଥ୍ୟ ଓ ମାର୍ଗଦର୍ଶନ ପ୍ରଦାନ କରିଥିବା ସମସ୍ତ ଅତିଥିଙ୍କୁ HOPE ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା। ଏଥିସହ ଛାତ୍ରଛାତ୍ରୀ, ଅଭିଭାବକ ଓ HOPEର ସମସ୍ତ ଶିକ୍ଷକଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଯାଇଥିଲା।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *