ଉଦ୍ୟମିତା ଓ ନବସୃଜନକୁ ପ୍ରୋତ୍ସାହନ ଦେବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଶିକ୍ଷିତ ଅଧ୍ୟାପକ

ବାରିପଦା ୨୮/୦୯/୨୦୨୬
(କ: ବ୍ଯୁ) ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଉଦ୍ୟମିତା, ନବସୃଜନ ଓ ନୂତନ ଉଦ୍ୟୋଗ ପ୍ରତିଷ୍ଠାର ସଂସ୍କୃତିକୁ ସୁଦୃଢ଼କରିବା ଲକ୍ଷ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଅହମ୍ମଦାବାଦସ୍ଥିତ ଏଣ୍ଟରପ୍ରିନରସିପ୍ ଡେଭଲପମେଣ୍ଟ ଅଫ୍ ଇଣ୍ଡିଆରେ ଆୟୋଜିତ ଛଅଦିନିଆ ଅଧ୍ୟାପକ ପରାମର୍ଶଦାତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଶେଷ କରିଛନ୍ତି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଏହି ଉଦ୍ୟମକୁ ପ୍ରଥମେ ଶୁଭାରମ୍ଭ କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେପ୍ଟେମ୍ବର ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଉଦ୍ଭାବନ ଓ ଉଦ୍ୟୋଗ ପ୍ରତିଷ୍ଠା ପ୍ରତି ଆଗ୍ରହ ସୃଷ୍ଟି କରିବାସହ ସେମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଯୋଗାଇଦେବା ଥିଲା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜୈବପ୍ରଯୁକ୍ତି ବିଜ୍ଞାନ ବିଭାଗର ପ୍ରଫେସର ସୁକାନ୍ତ କୁମାର ନାୟକ ଏବଂ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଜନ୍ମେଞ୍ଜୟ ନାୟକ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀଭାବରେ ଅଂଶଗ୍ରହଣ କରି ସଫଳତାର ସହ ପ୍ରଶିକ୍ଷଣ ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇଡ଼ିଆଇଆଇର ସରକାରୀ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ଅମିତ କୁମାର ଦ୍ୱିବେଦୀ ପରିଚାଳନା କରିଥିଲେ । ପ୍ରଶିକ୍ଷାର୍ଥୀମାନେ ସଂସ୍ଥାନର ମହାନିର୍ଦ୍ଦେଶକ ଡକ୍ଟର ସୁନୀଲ ଶୁକ୍ଳାଙ୍କ ସହ ବିଭିନ୍ନ ବିଷୟରେ ବୌଦ୍ଧିକ ଆଲୋଚନା କରିବାର ସୁଯୋଗ ପାଇଥିଲେ । ପ୍ରଶିକ୍ଷଣପ୍ରାପ୍ତ ଉକ୍ତ ମେଣ୍ଟରମାନେ ଆଗାମୀ ଦିନରେ ନିଜ ନିଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନୂତନ ଚିନ୍ତାଧାରା, ଉଦ୍ଭାବନମୂଳକ ପ୍ରୟାସ ଓ ଉଦ୍ୟୋଗ ପ୍ରତିଷ୍ଠା ସମ୍ପର୍କିତ ଯୋଜନାକୁ ଉପଯୁକ୍ତ ମାର୍ଗଦର୍ଶନ ପ୍ରଦାନ କରିବେ । ଏହାଦ୍ୱାରା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ନୂତନ ଉଦ୍ୟୋଗ ସୃଷ୍ଟିପାଇଁ ଅନୁକୂଳ ପରିବେଶ ଗଠନ ହେବା ସହ ଛାତ୍ରଛାତ୍ରୀମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଧିକ ପ୍ରୋତ୍ସାହନ ପାଇପାରିବେ । ଏଥିପାଇଁ ପ୍ରଶିକ୍ଷଣପ୍ରାପ୍ତ ଦୁଇଅଧ୍ୟାପକ ପ୍ରଫେସର ନାୟକ ଏବଂ ଡକ୍ଟର ନାୟକଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *