କଟକ, ୧ ଅକ୍ଟୋବର: କଟକ ମହାନଗର ନିଗମ ପକ୍ଷରୁ ଭଡ଼ା ଆଦାୟ ପ୍ରକ୍ରିୟାକୁ ଅଧିକ ସହଜ, ସ୍ୱଚ୍ଛ, ଶୃଙ୍ଖଳିତ ଓ ନିୟମିତ କରିବା ଉଦ୍ଦେଶ୍ୟରେ ବାରବାଟୀ ଫୁଡ୍ କୋର୍ଟ ପରିସରରେ ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ଭଡ଼ା ଆଦାୟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ କଟକ ମହାନଗର ନିଗମର ସହଯୋଗରେ ଏହି ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଆରମ୍ଭ କରାଯାଇଛି। ନିକଟରେ ବାରବାଟୀ ଫୁଡ୍ କୋର୍ଟର ଶୁଭାରମ୍ଭ ହୋଇଥିବା ବେଳେ, ଆଜି ଏହି ନୂତନ ଡିଜିଟାଲ୍ ଭଡ଼ା ଆଦାୟ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି।
କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଓ କମିଶନର ସୁଶ୍ରୀ କିରନଦୀପ କୌର ସହୋତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିଟାଲ୍ ଭଡ଼ା ଆଦାୟ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଶ୍ରୀ ଅମିୟ ନାୟକ କମିଶନରଙ୍କୁ କ୍ୟୁଆର୍ କୋଡ୍ ଉଲ୍ଲେଖ ଥିବା ଏକ କାର୍ଡ ପ୍ରଦାନ କରିଥିଲେ। ଏହି କ୍ୟୁଆର କୋର୍ଟକୁ ସ୍କାନ କରି ଦୋକାନୀମାନେ ଗତମାସର ଭଡ଼ା ପ୍ରଦାନ କରିଥିଲେ।
ନୂତନ ବ୍ୟବସ୍ଥା ଅନୁଯାୟୀ, ବାରବାଟୀ ଫୁଡ୍ କୋର୍ଟର ଦୋକାନୀମାନେ ପ୍ରତିମାସ ନିର୍ଦ୍ଧାରିତ ସମୟରେ କଟକ ମହାନଗର ନିଗମର ଆକାଉଣ୍ଟକୁ ସିଧାସଳଖ ଡିଜିଟାଲ୍ ମାଧ୍ୟମରେ ଭଡ଼ା ପୈଠ କରିପାରିବେ। ଏହା ଫଳରେ ଭଡ଼ା ପୈଠ ପ୍ରକ୍ରିୟା ଅଧିକ ସରଳ ଓ ସୁବିଧାଜନକ ହୋଇପାରିବ।
ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ମାଧ୍ୟମରେ ନଗଦ ଲେଣଦେଣକୁ କମାଇ ଭଡ଼ା ଆଦାୟ ପ୍ରକ୍ରିୟାକୁ ଅଧିକ ସୁସଂଗଠିତ ଓ ସ୍ୱଚ୍ଛ କରାଯାଇପାରିବ। ଏହା ମାଧ୍ୟମରେ ଭଡ଼ା ପୈଠର ଡିଜିଟାଲ୍ ରେକର୍ଡ ମଧ୍ୟ ସୁରକ୍ଷିତ ରହିବ ବୋଲି ମେୟର ଉଲ୍ଲେଖ କରିଥିଲେ।
କଟକ ମହାନଗର ନିଗମ ପକ୍ଷରୁ ଭବିଷ୍ୟତରେ ମଧ୍ୟ ରାଜସ୍ୱ ଆଦାୟ ପ୍ରକ୍ରିୟାକୁ ଅଧିକ ସରଳ, ଡିଜିଟାଲ୍ ଓ ନାଗରିକ-ଅନୁକୂଳ କରିବା ଦିଗରେ ପଦକ୍ଷେପ ନିଆଯିବା ଉପରେ କମିଶନର ଗୁରୁତ୍ବାରୋପ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଶ୍ରୀ ପରେଶ କୁମାର ନାୟକ, ଡେପୁଟି କମିଶନର ଶ୍ରୀ ଅଶୋକ କୁମାର ଲେଙ୍କା, ଶ୍ରୀ ଜୁବୁଲି ଚରଣ ବେହେରା, ବିତ୍ତ ଅଧିକାରୀ ଶ୍ରୀ ସତୀଶ କୁମାର ମିଶ୍ର, ଆସିଷ୍ଟାଣ୍ଟ କମିଶନର ଶ୍ରୀମତୀ ଶ୍ୱାତୀ ମିଶ୍ର, ଆଇସିଆଇସିଆଇ ବ୍ୟାଙ୍କର ବରିଷ୍ଠ ପ୍ରବନ୍ଧକ ପ୍ରିୟରଂଜନ ଦାଶ, କମଳେଶ ପ୍ରହରାଜଙ୍କ ସମେତ କଟକ ମହାନଗର ନିଗମ ଓ ଆଇସିଆଇସିଆଇ ବ୍ୟାଙ୍କର ଅଧିକାରୀମାନେ ଉପସ୍ଥିତ ଥିଲେ।