ଦଶହରା ପୂର୍ବରୁ ଅବକାରୀ ବିଭାଗର ଜୋରଦାର ଚଢ଼ଉ


କଟକ, ତା ୦୧.୧୦.୨୦୨୬ ରିଖ – ଚଳିତ ଦୁର୍ଗାପୂଜା ପୂର୍ବରୁ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଚଢ଼ଉ ଓ ଯାଞ୍ଚକୁ ଜୋରଦାର କରାଯାଇଛି। ୨୦୨୬ ସେପ୍ଟେମ୍ବର ମାସରେ ଅବକାରୀ ବିଭାଗ ପକ୍ଷରୁ ମୋଟ ୨୫୬ ଟି ମାମଲା ରୁଜ୍ଜୁ କରାଯାଇ ୧୯୫ ଜଣଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଇ ଦିଆଯାଇଛି । ଏହି ସମୟରେ ୧୪ ହଜାର ୮୨୨ ଲିଟର ଚୋରା ଦେଶୀ ମଦ(IDL), ୮୭ ହଜାର ୭୪୫ ଲିଟର ପୋଚ (ଫର୍ମେଣ୍ଟେଡ୍ ୱାଶ୍), ୬୧୮ ଲିଟର ଦେଶୀ ମଦ, ୫୦ ଲିଟର ବିଦେଶୀ ମଦ, ୨୨ କିଲୋଗ୍ରାମ ଗଞ୍ଜେଇ ଓ ୫୨୮ ଗ୍ରାମ ହେରୋଇନ୍ ଜବତ କରାଯାଇଛି। ଏଥିସହ ୨୦ଟି ଦୁଇଚକିଆ, ୬ଟି ଚାରିଚକିଆ ଓ ଗୋଟିଏ ଅଟୋରିକ୍ସା ଜବତ କରାଯାଇଛି। ବେଆଇନ ମଦ ଓ ନିଶାଦ୍ରବ୍ୟ କାରବାର ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବକାରୀ, ପୋଲିସ, ରାଜସ୍ୱ ଓ ଅନ୍ୟାନ୍ୟ ବିଭାଗକୁ ନେଇ ଏକ ଦଳ ଗଠନ କରାଯାଇଛି। ଏହି ଦଳ ଦ୍ୱାରା ମିଳିତ ଚଢାଉ ଓ ଯାନବାହନର ଯାଞ୍ଚ କରାଯାଉଛି । ରାଜପଥ ଓ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ରାତ୍ରିକାଳୀନ ଯାଞ୍ଚ ଓ ପାଟ୍ରୋଲିଂକୁ ମଧ୍ୟ ଅଧିକ ସୁଦୃଢ଼ କରାଯାଇଛି । ବେଆଇନ ଭାବେ ମଦ ପ୍ରସ୍ତୁତ ହେଉଥିବା ସନ୍ଦେହଜନକ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇ ନିୟମିତ ଚଢ଼ଉ କରାଯାଉଛି। ଏଥିସହ ବେଆଇନ ପୋଚ ଏବଂ ପ୍ରସ୍ତୁତି ୟୁନିଟ୍‌ଗୁଡ଼ିକୁ ନଷ୍ଟ କରାଯାଉଛି। ଗଞ୍ଜେଇ, ହେରୋଇନ୍ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ଚାଲାଣ ଓ ବିକ୍ରି ବିରୋଧରେ ମଧ୍ୟ କଡା ପଦକ୍ଷେପ ନିଆଯାଉଛି। ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡ଼ିକରେ ମଧ୍ୟ ନିୟମିତ ଯାଞ୍ଚ କରାଯାଇ ଲାଇସେନ୍ସର ସର୍ତ୍ତାବଳୀ ଓ ନିର୍ଦ୍ଧାରିତ ସମୟସୀମା ପାଳନ ସୁନିଶ୍ଚିତ କରାଯାଉଛି । ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୨୯ ଅନୁଯାୟୀ ଉପ-ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ୧୧ ଜଣ ବ୍ୟକ୍ତି ବଣ୍ଡ୍‌ ଦାଖଲ କରିଛନ୍ତି । ସେମାନେ ପର୍ବପର୍ବାଣୀ ସମୟରେ ବେଆଇନ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ଶପଥ ପତ୍ର ଦେଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ବେଆଇନ ଓ ନକଲି ମଦ ବ୍ୟବହାର ନକରିବାକୁ ଅନୁରୋଧ କରାଯାଇଛି। ବେଆଇନ ମଦ କିମ୍ବା ନିଶାଦ୍ରବ୍ୟର ଉତ୍ପାଦନ, ବିକ୍ରି ଓ ପରିବହନ ସମ୍ପର୍କରେ ଜନସାଧାରଣ ଅବକାରୀ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ଏହି ଯାଞ୍ଚ ଅଭିଯାନ ଆଗାମୀ ସମୟରେ ଜାରି ରହିବ। ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ପକ୍ଷରୁ ସମଗ୍ର ଜିଲ୍ଲାରେ ଚଢାଉ, ଯାଞ୍ଚ ଓ ପାଟ୍ରୋଲିଂ କରାଯାଇ ଦଶହରାକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପାଳନ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି।

Leave a Reply

Your email address will not be published. Required fields are marked *