ମହାରାଜା ଅଗ୍ରସେନଙ୍କ ୫୧୮୦ତମ ଜୟନ୍ତୀ ପାଇଁ ପ୍ରସ୍ତୁତି ଜୋରଦାର

କଟକ, ୩୦।୯ : ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମିଳନୀ ପୂର୍ବ ଓଡ଼ିଶା ପ୍ରାନ୍ତ ଓ କଟକ ଶାଖା ପକ୍ଷରୁ ମହାରାଜା ଅଗ୍ରସେନଙ୍କ ୫୧୮୦ତମ ଜୟନ୍ତୀ ଉତ୍ସବକୁ ଭବ୍ୟ ଓ ଐତିହାସିକ ଢଙ୍ଗରେ ପାଳନ କରିବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ କଟକ ଶାଖା ସଭାପତି ଅମିତ ଅଗ୍ରୱାଲଙ୍କ କାର୍ଯ୍ୟାଳୟରେ ଜୟନ୍ତୀ ଉତ୍ସବର ପ୍ରସ୍ତୁତି ଓ ରୂପରେଖ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ଓ ସମାଜବନ୍ଧୁମାନେ ଉତ୍ସାହର ସହ ଯୋଗଦେଇଥିଲେ। ମହାରାଜା ଅଗ୍ରସେନଙ୍କ ଜୟନ୍ତୀକୁ ଭବ୍ୟ ଭାବେ ପାଳନ କରିବା ସହ ଅଧିକରୁ ଅଧିକ ସମାଜବନ୍ଧୁଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ନେଇ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ବୈଠକରେ ପୂର୍ବ ଓଡ଼ିଶା ପ୍ରାନ୍ତ ସଭାପତି ନତମଲ ଚନାନି ମହାରାଜା ଅଗ୍ରସେନଙ୍କ ଆଦର୍ଶ, ନୀତି ଓ ସମାଜରେ ସମାନତା ତଥା ସହଯୋଗର ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ। ମହାରାଜା ଅଗ୍ରସେନଙ୍କ ‘ଏକ ଇଟ, ଏକ ଟଙ୍କା’ ସିଦ୍ଧାନ୍ତ ସାମାଜିକ ଏକତା ଓ ପରସ୍ପର ସହଯୋଗର ଏକ ପ୍ରେରଣାଦାୟୀ ଉଦାହରଣ ବୋଲି ସେ କହିଥିଲେ। ସଂଗଠନର ମହାସଚିବ ସୁଶୀଲ ସନ୍ତୁକା ଜୟନ୍ତୀ ଉତ୍ସବର ପ୍ରସ୍ତାବିତ ରୂପରେଖ ଉପସ୍ଥାପନ କରିଥିବାବେଳେ କଟକ ଶାଖା ସଭାପତି ଅମିତ ଅଗ୍ରୱାଲ ଉତ୍ସବକୁ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତ ଯୋଜନା ସମ୍ପର୍କରେ ବୈଠକରେ ସୂଚନା ଦେଇଥିଲେ। ବୈଠକରେ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ, ବ୍ୟବସ୍ଥା ଓ ସମାଜବନ୍ଧୁମାନଙ୍କ ଅଂଶଗ୍ରହଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଉତ୍ସବକୁ ଅଧିକ ସ୍ୱତନ୍ତ୍ର ଓ ଆକର୍ଷଣୀୟ କରିବା ପାଇଁ ରାଜସ୍ଥାନର ଜୟପୁରରୁ ଢପ୍ ଓ ଧମାଲର ପ୍ରସିଦ୍ଧ କଳାକାର ତଥା ‘ଢପ୍-ଧମାଲର ବାଦଶାହ’ ମନୀଷ ଘିୱାଲା କଟକ ଆସିବା ନେଇ ମଧ୍ୟ ସୂଚନା ଦିଆଯାଇଥିଲା। ତାଙ୍କର ବିଶେଷ କାର୍ଯ୍ୟକ୍ରମକୁ ନେଇ ସମାଜବନ୍ଧୁମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଆୟୋଜକମାନେ କହିଛନ୍ତି ଯେ, ଉତ୍ସବରେ ଯୋଗଦେବାକୁ ଇଚ୍ଛୁକ ସମାଜବନ୍ଧୁମାନଙ୍କ ପାଇଁ ନିଃଶୁଳ୍କ ପ୍ରବେଶପତ୍ର ବ୍ୟବସ୍ଥା କରାଯାଉଛି। ବିଭିନ୍ନ ସ୍ଥାନରୁ ସମାଜବନ୍ଧୁମାନେ ପ୍ରବେଶପତ୍ର ସଂଗ୍ରହ କରି ଏହି ଭବ୍ୟ ଆୟୋଜନରେ ସାମିଲ ହୋଇପାରିବେ।
ବୈଠକରେ ସୁରେଶ କମାନୀ, ପଦମ ଭାବସିଂହା, ବିନୋଦ ଅଗ୍ରୱାଲ, ମୁନ୍ନା ଭାଇ, ନରେଶ ଗନେରୀୱାଲ, ଦିନେଶ ମୋଦୀ, ରାକେଶ ସିଂଘୀ, ଗୁଲଜାରୀଲାଲ ଲାଧନିଆ, ପ୍ରକାଶ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ଭବରଲାଲ ଗୋଦାରା, ରାଜେଶ ବେରୀୱାଲ, ରାକେଶ ଜୈନ, ଦୀପକ ମୋଡ଼, କମଲ ସିକାରିଆଙ୍କ ସମେତ ବହୁ ସମାଜବନ୍ଧୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *