ପୁରୀ ରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ

ପୁରୀ ୨୭/୯ (କ ବ୍ୟୁ) : ଆଜି ବିଶ୍ବ ପର୍ଯ୍ୟଟନ ଦିବସ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଯୋଗ ଦେଇ ପୁରୀ ଜିଲ୍ଲା ପର୍ଯ୍ୟଟନ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ବୋଲି କହିଥିଲେ।ଦେଶ ବିଦେଶରୁ ଦୈନିକ ହଜାର ହଜାର ଲୋକ ପୁରୀ କୁ ଆସନ୍ତି।ପୁରୀର ଅଧିବାସୀ ଭାବେ ଆମେ ଅତିଥି ଦେବୋ ଭବଃ ର ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖି ସମସ୍ତ ପର୍ଯ୍ୟଟକ ଙ୍କୁ ଉଚିତ ସେବା ଓ ସମ୍ମାନ ଦେବା କୁ ଶ୍ରୀ ଭୋଇ ଆହ୍ବାନ ଦେଇଥିଲେ।ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା ପୁରୀ ସହରକୁ ସ୍ବଛ ଓ ସୁନ୍ଦର ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆୟୋଜିତ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଏଥିରେ ବିଦ୍ୟାଳୟ ସ୍ତରରେ ଏସସିଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜେଶ ମହାପାତ୍ର ପ୍ରଥମ, ସରସ୍ୱତୀ ଶିଶୁ ମନ୍ଦିର ଘୋଡାବଜାର ର ଛାତ୍ର ସ୍ବୟଂ ପ୍ରକାଶ ସାହୁ ଦ୍ବିତୀୟ ଓ ବ୍ରହ୍ମଗିରି ମଦନ ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅର୍ପିତା ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଥିଲେ।ସେହିପରି ମହାବିଦ୍ୟାଳୟ କୁଇଜ ରେ ଏସସିଏସ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ଶିଳ୍ପୀରାଣୀ ଜାଲି ପ୍ରଥମ, ସୁରଜମଲ ଶାହା ମହାବିଦ୍ୟାଳୟ ର ଛାତ୍ର ସାଇ ମିଶ୍ର ଦ୍ୱିତୀୟ ଓ ଆଇଏମଟି ଫାର୍ମାସି କଲେଜର ଛାତ୍ର ଦୂର୍ଗା ମାଧବ ମହାନ୍ତି ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ।ପ୍ରାରମ୍ଭରେ ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ସମସ୍ତ ଙ୍କୁ ସ୍ବାଗତ ଓ ପର୍ଯ୍ୟଟନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରୂପେଶ କୁମାର ରାଉତ, ଦେବସ୍ମିତା ମହାନ୍ତି,ବରିଷ୍ଠ ସହାୟକ ସନ୍ତୋଷ କୁମାର ମହାନ୍ତି, ମଳୟା ପ୍ରଧାନ, ଅମୃତା ଦାସ ପ୍ରମୁଖ ଯୋଗ ଦେଇଥିଲେ।(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *