କଟକ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା


କଟକ, ତା. ୨୧।୦୯ : କଟକ ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନକୁ ସହଜ, ସୃଜନଶୀଳ ଓ ମନୋରଞ୍ଜନଧର୍ମୀ ଉପାୟରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସହ ସମସାମୟିକ ବୈଜ୍ଞାନିକ ଓ ପରିବେଶୀୟ ପ୍ରସଙ୍ଗ ପ୍ରତି ସଚେତନତା ସୃଷ୍ଟି କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କଟକ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋରଞ୍ଜନ ବାରିକ ଓ ସନ୍ତୋଷ କୁମାର ସେଠୀ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା ଓ ବୈଜ୍ଞାନିକ ଦୃଷ୍ଟିକୋଣର ବିକାଶ ପାଇଁ ପ୍ରେରଣା ଦେଇଥିଲେ।
କଟକ ଜିଲ୍ଲାର ୧୪ଟି ବ୍ଲକ ଓ ସଦର ମହକୁମାରୁ ଛାତ୍ରଛାତ୍ରୀ ଏବଂ ପ୍ରତିନିଧିମାନେ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ। ପ୍ରତିଯୋଗୀମାନେ ଚଳିତ ବର୍ଷର ନିର୍ଦ୍ଧାରିତ ସମସାମୟିକ ବୈଜ୍ଞାନିକ ବିଷୟବସ୍ତୁକୁ ନାଟକ ମାଧ୍ୟମରେ ଉପସ୍ଥାପନ କରିଥିଲେ। କୃତ୍ରିମ ବୁଦ୍ଧିମତ୍ତା, ବୈଦ୍ୟୁତିକ ଯାନ, ଭବିଷ୍ୟତର ସମାଜ, ଅନ୍ତଃନକ୍ଷତ୍ରୀୟ ବାସସ୍ଥାନ, ମହାସାଗରର ପୁନରୁଦ୍ଧାର ଓ ଭବିଷ୍ୟତ ପିଢ଼ିର ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନାଟକଗୁଡ଼ିକରେ ସ୍ଥାନ ପାଇଥିଲା।
ବିଚାରକ ଭାବେ ଅନନ୍ତ ଚରଣ ଦାସ, ଜ୍ଞାନରଞ୍ଜନ ପ୍ରହରାଜ ଓ ବିନୋଦ ମହାପାତ୍ର ଯୋଗଦେଇ ପ୍ରତିଯୋଗୀମାନଙ୍କର ମୂଲ୍ୟାଙ୍କନ କରିଥିଲେ। କଟକ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକା ସାଗରିକା ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପ୍ରତିଯୋଗିତାରେ ରେଭେନ୍ସା କଲିଜିଏଟ୍ ସ୍କୁଲ ପ୍ରଥମ ସ୍ଥାନ, ପିଏମ୍ ଶ୍ରୀ ନିଆଳି ସରକାରୀ ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ଏବଂ ନାହଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବ୍ୟକ୍ତିଗତ ବିଭାଗରେ ରେଭେନ୍ସା କଲିଜିଏଟ୍ ସ୍କୁଲର ଶିକ୍ଷୟିତ୍ରୀ ଡଃ ପୁଷ୍ପାଞ୍ଜଳି ବେହେରା ଶ୍ରେଷ୍ଠ ନିର୍ଦ୍ଦେଶକ, ନାହଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର ଶ୍ରେଷ୍ଠ ନାଟକ ଲେଖକ ଭାବେ ବିବେଚିତ ହୋଇଥିଲେ। ସେହିପରି ଦେବାଶିଷ ସାହୁ ଶ୍ରେଷ୍ଠ ଅଭିନେତା ଏବଂ ପ୍ରିୟଲୀ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ବିବେଚିତ ହୋଇଥିଲେ।
ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁକ୍ତିସମ୍ମତ ଚିନ୍ତାଧାରା ଓ ବୈଜ୍ଞାନିକ ଚେତନାର ବିକାଶରେ ସହାୟକ ହୋଇଥିଲା। ନୂତନ ପ୍ରଯୁକ୍ତିବିଦ୍ୟା, ମହାକାଶ ଅନୁସନ୍ଧାନ, ସମୁଦ୍ର ସଂରକ୍ଷଣ, ଶକ୍ତିର ସଦୁପଯୋଗ ଆଦି ବିଷୟକୁ ନାଟକ ମାଧ୍ୟମରେ ଉପସ୍ଥାପନ କରି ଛାତ୍ରଛାତ୍ରୀମାନେ ବିଜ୍ଞାନର ବ୍ୟବହାରିକ ଦିଗ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଥିଲେ।

Leave a Reply

Your email address will not be published. Required fields are marked *