
କଟକ, ୨୨।୦୯: ଅନ୍ଦରପୁର ମହାରାସ ମଣ୍ଡଳୀ ଆନୁକୂଲ୍ୟରେ ଶ୍ରୀଜୀଉଙ୍କ ପ୍ରାକଟ୍ୟ ମହୋତ୍ସବ ଅନ୍ଦରପୁର ସାଇ ବୃନ୍ଦାବନ ମଣ୍ଡପ ପରିସରରେ ଧାର୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରମୁଖ ବକ୍ତା ତଥା ସୁବୋଧକୃଷ୍ଣ ମିଶନର ପ୍ରମୁଖ ପୂଜ୍ୟ ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀଜୀ ପ୍ରବଚନ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ସ୍ୱାଇଁ, ଅଙ୍ଗଦ କୁମାର ସ୍ୱାଇଁଙ୍କ ସମେତ ସାହି ଅଧିକାରୀ, ଅନ୍ଦରପୁର ଓ କଲ୍ୟାଣନଗର ଗ୍ରାମର ଅଧିବାସୀମାନେ ସହଯୋଗ କରିଥିଲେ। ଶ୍ରୀକ୍ଷେତ୍ରର ମା’ ଶୁଭଦ୍ରାଙ୍କ ବାଡ଼ଗ୍ରାହୀ ପୂଜ୍ୟ ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର ମଧ୍ୟ ଏଥିରେ ଯୋଗଦେଇଥିଲେ।
ଏହି ଅବସରରେ ଅନ୍ଦରପୁର ଗ୍ରାମର ଗ୍ରାମଦେବତୀ ମା’ ଦୁଲ୍ଲାଦେଇଙ୍କ ମନ୍ଦିର ପ୍ରାଙ୍ଗଣରୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିଙ୍କୁ ପାଲିଙ୍କିରେ ବିଜେ କରାଯାଇ ସାହି ପରିକ୍ରମା କରାଯାଇଥିଲା। ପରେ ଯୁଗଳ ମୂର୍ତ୍ତିଙ୍କୁ ପ୍ରବଚନ ସ୍ଥଳରେ ବିଜେ କରାଯିବା ପରେ ଆଳତୀ ଅନୁଷ୍ଠିତ ହୋଇଥିଲା। ଏହାପରେ ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀଜୀଙ୍କ ପ୍ରବଚନ ଆରମ୍ଭ ହୋଇଥିଲା।
ପ୍ରବଚନ ଶ୍ରବଣ ପାଇଁ ଅନ୍ଦରପୁର ଓ ଆଖପାଖ ଅଞ୍ଚଳରୁ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତମାନେ ଶ୍ରଦ୍ଧାର ସହ ପ୍ରବଚନ ଶ୍ରବଣ କରିଥିଲେ। ଶେଷରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।