
କଟକ, ୨୨।୦୯: କଟକସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର, କେଶବଧାମ ପରିସରରେ ବିଦ୍ୟାଭାରତୀ ପକ୍ଷରୁ ଚାରିଦିନିଆ ବିଦ୍ୟାଳୟ ପର୍ଯ୍ୟବେକ୍ଷଣ ତଥା ଅନୁଭବମୂଳକ ଶିକ୍ଷା କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କଲିକତା ସୁନ୍ଦରବନ ଅନୀଲକ୍ରିଷ୍ଣା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ୱରୂପା ଚକ୍ରବର୍ତ୍ତୀ, ଲୋରେଟୋ ସ୍ୱୟଂଶାସିତ କଲେଜ, କଲିକତାର ସହାୟକ ପ୍ରଫେସର ଡ. ସଙ୍ଗୀତା ସାନ୍ୟାଲ, ଡି.ଏମ୍. କଲେଜ, ମଣିପୁରର ସହଯୋଗୀ ପ୍ରଫେସର ଅନୀତା କଙ୍ଗବାମ, ନାଗପୁରସ୍ଥିତ ବାଲବାଟିକା ମାଇକ୍ରୋର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷା ମାହେଶ୍ୱରୀ ଖୋବ୍ରାଗେଡେ, ଶିକ୍ଷା ମହାବିଦ୍ୟାଳୟ, ନାଗାଓଁ, ଆସାମର ଅଧ୍ୟକ୍ଷା ମନୋଶିଖା ବରୁହା, ଗୌହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଦୁଲା ଶରମାହ, ଫକୀର ଚାନ୍ଦ କଲେଜ, ଡାଇମଣ୍ଡ ହାର୍ବରର ସହଯୋଗୀ ପ୍ରଫେସର ସୋମା ସିଦ୍ଧାନ୍ତ ବାନାର୍ଜୀ ଏବଂ ବାଳିକା କଲେଜ, ନାଗାଓଁ, ଆସାମର ସହାୟକ ପ୍ରଫେସର ଶିଖା ଭଗବତୀ ପର୍ଯ୍ୟବେକ୍ଷିକା ଭାବେ ଯୋଗଦେଇଥିଲେ।
ଏହି ଅବସରରେ ଶିକ୍ଷା ବିକାଶ ସମିତି, ଓଡ଼ିଶାର ସଭାପତି ଡ. କିଶୋର ଚନ୍ଦ୍ର ମହାନ୍ତି, ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ନରୋତ୍ତମ ସାହୁ ଏବଂ ବିଦ୍ୟାଳୟର ସମ୍ପାଦକ ଅଶୋକ କୁମାର ରାଉତରାୟ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା ଆଗତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସମସ୍ତ ବ୍ୟବସ୍ଥା ପରିଚାଳନା କରିଥିଲେ।
ପର୍ଯ୍ୟବେକ୍ଷକ ଓ ପର୍ଯ୍ୟବେକ୍ଷିକାମାନେ ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥାକୁ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ପର୍ଯ୍ୟବେକ୍ଷଣ କରିବା ସହ ଅନୁଭବ ଆହରଣ କରିଥିଲେ। ଏଥିସହ ବିଦ୍ୟାଳୟ ପରିଚାଳନା ସମିତି, ବିଦ୍ୱତ୍ ପରିଷଦ, ଅଭିଭାବକ, ଆଚାର୍ଯ୍ୟ-ଆଚାର୍ଯ୍ୟା, ପୂର୍ବତନ ଛାତ୍ର, ମାତୃଭାରତୀ, ଶିଶୁଭାରତୀ ଓ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବୈଠକରେ ଯୋଗଦେଇ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
ବିଶେଷକରି ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ଶିକ୍ଷା, ପଞ୍ଚପଦୀ ଓ ପଞ୍ଚକୋଷ ଶିକ୍ଷା, ଆଧାରଭୂତ ଶିକ୍ଷା ସମେତ ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଓ ସହଶୈକ୍ଷିକ ବ୍ୟବସ୍ଥା ସମ୍ପର୍କରେ ସେମାନେ ପ୍ରତ୍ୟକ୍ଷ ଅନୁଭବ ହାସଲ କରିଥିଲେ। ଚାରିଦିନିଆ ଏହି ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଶିକ୍ଷା ନୀତି-୨୦୨୦ର ବିଭିନ୍ନ ଦିଗକୁ ବିଦ୍ୟାଳୟ ସ୍ତରରେ କିପରି କାର୍ଯ୍ୟକାରୀ କରାଯାଉଛି, ତାହା ଅନୁଧ୍ୟାନ କରାଯାଇଥିଲା।