
କଟକ, ୨୧।୦୯: କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ କଟକ ଗଡ଼ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ୧୧୨ତମ ରାଜ୍ୟସ୍ତରୀୟ ‘ନୂଆଁଖାଇ ସ୍ୱର ସୃଜନ ମହୋତ୍ସବ’ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ୧୧ତମ ଆଧ୍ୟାତ୍ମିକ-ସାଂସ୍କୃତିକ ବାର୍ଷିକ ସାହିତ୍ୟ ପତ୍ରିକା ‘ନୂଆଁଖାଇ ସ୍ୱର ସୃଜନ’ ଉନ୍ମୋଚିତ ହୋଇଥିଲା।
ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ମହେଶ୍ୱର ମହାନ୍ତି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କୈବଲ୍ୟ ସାହିତ୍ୟ ସଂସଦ ସାହିତ୍ୟ ଓ ସଂସ୍କୃତିର ଏକ ସମ୍ମିଳିତ ସ୍ୱର ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ ନୂଆଁଖାଇର ସାଂସ୍କୃତିକ ସ୍ୱରୂପ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ମୁଖ୍ୟ ବକ୍ତା ଡ. ସୁନାମଣି ରାଉତ ନୂଆଁଖାଇ କାଳକ୍ରମେ ଓଡ଼ିଶାର ଏକ ଗଣପର୍ବରେ ପରିଣତ ହେବ ବୋଲି ମତ ପ୍ରକାଶ କରିଥିଲେ।
ଅନୁଷ୍ଠାନର ପ୍ରତିଷ୍ଠାତା ଡ. ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି ନୂଆଁଖାଇ ଓଡ଼ିଆ ଜାତିର ସାଂସ୍କୃତିକ ଅସ୍ମିତାର ପ୍ରତୀକ ବୋଲି କହିଥିଲେ।
ସମ୍ମାନିତ ଅତିଥି ଭାବେ କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ବିଶିଷ୍ଟ ଗାନ୍ଧୀବାଦୀ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଡ. ଦିପାୟନ ପଟ୍ଟନାୟକ, କବି ପ୍ରେମଚାନ୍ଦ ମହାନ୍ତି, ଲକ୍ଷ୍ମୀ ପ୍ରସାଦ ଆଚାର୍ଯ୍ୟ, ଚୈତନ୍ୟ ପ୍ରସାଦ ରାଉତ, ସଂଯୋଜ୍ ସାମନ୍ତରାୟ, ବଂଶୀଧର ମହାପାତ୍ର, ରମେଶ ଚନ୍ଦ୍ର ନାୟକ, ସୂର୍ଯ୍ୟକାନ୍ତ ଦାସ ମହାପାତ୍ର, ଡ. ବିଶ୍ୱଜିତ୍ କେଶରୀ ବିଶ୍ୱାଳ, ଡ. ପ୍ରଣତି ରାଉତ, ସୁଭବ୍ରତ ମହାପାତ୍ର, ସୁରଭି ଦ୍ୱିବେଦୀ, କବି ଉତ୍ତମ ଚରଣ ପ୍ରଧାନ, କବି ସୁରେନ୍ଦ୍ର ମହାପାତ୍ର, କବି ରାଜକିଶୋର ସ୍ୱାଇଁ ଓ ଡ. ଅରୂପ ମାର୍ଥା ପ୍ରମୁଖ ଯୋଗଦେଇ ନୂଆଁଖାଇ ପାଳନର ବିଧି ଓ ଏହାର ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ଅବସରରେ ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ କବି ଓ କବୟିତ୍ରୀମାନଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା। ବରିଷ୍ଠ କବୟିତ୍ରୀ ଡ. ଗୀତାଞ୍ଜଳି ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।