ଜିଲ୍ଲା ରେ ସ୍ଥାପନ ହେବ ୭୪ଟି ନୂଆ ଏଲ୍.ଆଇ.ପ୍ରକଳ୍ପ


କଟକ ୧୯/୯ : କଟକ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ଅଞ୍ଚଳରେ ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ଆହୁରି ୭୪ଟି ନୂତନ ଏଲ୍.ଆଇ.ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ନାବାର୍ଡ ସହାୟତାର ହାତ ବଢେ଼ଇଥିବା ବେଳେ ଆସନ୍ତା ୨୦୨୭ ମାର୍ଚ୍ଚ ଶେଷସୁଦ୍ଧା ସମସ୍ତ ପ୍ରକଳ୍ପର କାର୍ଯ୍ୟ ସମ୍ପୁନ୍ନ ହେବବୋଲି ବିଭାଗୀୟ ଯନ୍ତ୍ରୀ ନିମାଇଁ ଚରଣ ବେହେରା ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ କଟକ ଜିଲ୍ଲାରେ ୧୫୪୪ଟି ଏଲ୍.ଆଇ.ପ୍ରକଳ୍ପ ରହିଥିବା ବେଳେ ପୂର୍ବରୁ ୩୭୨୧୪ ହେକ୍ଟର ଚାଷଜମିରେ ଚାଷକାର୍ଯ୍ୟ ଚାଲୁଥିଲା। ମାତ୍ର ଏବେ ୨୭୮ଟି ପ୍ରକଳ୍ପ ଅଚଳ ହେବାଯୋଗୁ ୯୨୮୫ ହେକ୍ଟର ଚାଷଜମିରେ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି। ସେହିପରି ଏହି ଡିଭିଜନ ଅଧିନରେ ଥିବା ଜଗତସିଂହପୁର ଜିଲ୍ଲାରେ ଥିବା ୯୦୯ଟି ପ୍ରକଳ୍ପ ମଧ୍ୟରୁ ୨୭୯ଟି ପ୍ରକଳ୍ପ ଅଚଳ ହୋଇଯାଇଛି। ଚାଷୀମାନଙ୍କ ସୁବିଧା ପାଇଁ କଟକ ଜିଲ୍ଲାର ୭୪ଟି ଓ ଜଗତସିଂହପୁର ଜିଲ୍ଲାରେ ୧୭ଟି ନୂତନ ଏଲ୍.ଆଇ.ପ୍ରକଳ୍ପ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆହୁରି ୧୬ ହଜାର ୯୬ ହେକ୍ଟର ଚାଷଜମିରେ ଚାଷକାର୍ଯ୍ୟ ହୋଇପାରିବ।

Leave a Reply

Your email address will not be published. Required fields are marked *