କଟକ, ୧୯ ସେପ୍ଟେମ୍ବର ୨୦୨୬:
କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ୟାନ୍ସର (AHPGIC) ର ମେଡିକାଲ ଅଙ୍କୋଲୋଜି ବିଭାଗ ପକ୍ଷରୁ ‘Mid Term Breast & Lung Cancer Update’ ଶୀର୍ଷକ ଏକ ସି.ଏମ୍.ଇ. କାର୍ଯ୍ୟକ୍ରମ ଶନିବାର ଲେକ୍ଚର ଥିଏଟର–୧ରେ ଅନୁଷ୍ଠିତ ହୋଇଛି।
ସ୍ତନ କର୍କଟ ଓ ଫୁସ୍ଫୁସ୍ କର୍କଟର ନିଦାନ, ଚିକିତ୍ସା ଏବଂ ଆଧୁନିକ ଚିକିତ୍ସା ପଦ୍ଧତିରେ ଅଗ୍ରଗତି ଉପରେ ଏହି ସି.ଏମ୍.ଇ.ରେ ଆଲୋଚନା କରାଯାଇଛି। ବିଶେଷକରି ନୂତନ ଚିକିତ୍ସା ପ୍ରମାଣ, ଟାର୍ଗେଟେଡ୍ ଥେରାପି, ଇମ୍ୟୁନୋଥେରାପି ଏବଂ ମଲ୍ଟିଡିସିପ୍ଲିନାରୀ କ୍ୟାନ୍ସର କେୟାର୍ରେ ହେଉଥିବା ଅଗ୍ରଗତି ଉପରେ ବିଶେଷଜ୍ଞମାନେ ମତବିନିମୟ କରିଥିଲେ।
କାର୍ଯ୍ୟକ୍ରମରେ ଏଏଚ୍ପିଜିଆଇସିର ନିର୍ଦ୍ଦେଶକ ଗ୍ରୁଫ୍ କ୍ୟାପ୍ଟେନ୍ ପ୍ରଫେସର(ଡା) ଦୀପକ ରାଉତରାୟ, ଡିନ୍ ଓ ପ୍ରିନ୍ସିପାଲ୍ ପ୍ରଫେସର (ଡା) ରେଖା ଦାସ ଏବଂ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡା) ନିହାରିକା ପଣ୍ଡା ଉପସ୍ଥିତ ଥିଲେ।
ପ୍ରଫେସର (ଡଃ) ପଦ୍ମାଳୟା ଦେବୀ, ପୂର୍ବତନ ପ୍ରିନ୍ସିପାଲ୍, AHPGIC ଏବଂ ହେଡ୍, ଡିପାର୍ଟମେଣ୍ଟ ଅଫ୍ ଅଙ୍କୋ ସର୍ଜରୀ, ସମ୍-2 ହସ୍ପିଟାଲ୍, ଭୁବନେଶ୍ୱର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଫେସର (ଡଃ) ଦୀପ୍ତିରାଣୀ ସାମନ୍ତ, ମୁଖ୍ୟ, ମେଡିକାଲ୍ ଅଙ୍କୋଲୋଜି ବିଭାଗଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଆସୋସିଏଟ୍ ପ୍ରଫେସର (ଡଃ) ପ୍ରଶାନ୍ତ କୁମାର ପରିଡ଼ା ଏବଂ ଆସୋସିଏଟ୍ ପ୍ରଫେସର (ଡଃ) ଲାଲମୋହନ ସୟ ଏହି କାର୍ଯ୍ୟକ୍ରମର ଆୟୋଜନ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ।
ବିଶେଷଜ୍ଞମାନେ କହିଥିଲେ ଯେ, କର୍କଟ ଚିକିତ୍ସା କ୍ଷେତ୍ରରେ ଦ୍ରୁତଗତିରେ ନୂତନ ଚିକିତ୍ସା ପଦ୍ଧତି ଓ ବୈଜ୍ଞାନିକ ପ୍ରମାଣ ଯୋଡ଼ି ହେଉଥିବାରୁ ଏଭଳି ଶିକ୍ଷାମୂଳକ କାର୍ଯ୍ୟକ୍ରମ ଚିକିତ୍ସକମାନଙ୍କ ଜ୍ଞାନକୁ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ। ଏହା ମାଧ୍ୟମରେ ଜ୍ଞାନର ଆଦାନପ୍ରଦାନ, ବିଶେଷଜ୍ଞମାନଙ୍କ ମଧ୍ୟରେ ଆଲୋଚନା ଏବଂ ସମନ୍ୱିତ କର୍କଟ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ସୃଷ୍ଟି ହୋଇଥିଲା।
ଏଏଚ୍ପିଜିଆଇସି, କଟକର ମେଡିକାଲ୍ ଅଙ୍କୋଲୋଜି ବିଭାଗ ପକ୍ଷରୁ ଏହି ସି.ଏମ୍.ଇ. କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।