” ଅଭିଯୁକ୍ତକୁ ୬ ବର୍ଷ ଜେଲଦଣ୍ଡାଦେଶ‌ “


ବାରିପଦା/ଉଦଳା ତା୧୯/୦୯/୨୦୨୬ (କ: ବ୍ଯୁ) ଜୀବନରୁ ମାରିଦେବାକୁ ଉଦ୍ୟମ କରି ଘରେ ନିଆଁ ଲଗାଇବା ଘଟଣାରେ ରାୟ ଶୁଣାଇଛନ୍ତି ଅତିରିକ୍ତ ଦୌରାଜଜ । ୨୦୨୫ ମସିହା ମଇ ୧୧ ତାରିଖ ରାତିରେ କପ୍ତିପଦା ଥାନା ଗେଣ୍ଡାଗଡିଆ ଗ୍ରାମର ମାନସ କୁମାର ମହୁରିଆଙ୍କ ପରିବାର ସଦସ୍ୟ ଘରେ ଶୋଇଥିଲେ । ହେଲେ ବିଳମ୍ବିତ ରାତିରେ ପୂର୍ବ ଶତୃତାକୁ କେନ୍ଦ୍ର କରି ତାଙ୍କ ଦାଦା ଟିମା ମହୁରିଆ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଚାଳଛପର ଘରେ ନିଆଁ ଲଗାଇ ଦେଇଥିଲେ । ହେଲେ ସୌଭାଗ୍ୟବଶତଃ ପରିବାର ଲୋକେ ନିଆଁ ଲାଗିଥିବା ଜାଣିପାରି ଗ୍ରାମବାସୀଙ୍କ ସହାୟତାରେ ଘରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ କିନ୍ତୁ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଯାହାକୁ ନେଇ ମାନସ ଏ ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ କେଶ ନମ୍ବର-୧୧୧/୨୫ ରେ ମାମଲା ରୁଜୁ କରିଥିଲା । ତତସହିତ ଅଭିଯୁକ୍ତ ଦାଦା ଟିମା ମହୁରିଆକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଉକ୍ତ ଘଟଣା କୋର୍ଟରେ ବିଚାରଧିନ ଥିବା ବେଳେ ଶନିବାର ଉକ୍ତ ଘଟଣାର ରାୟ ପ୍ରକାଶ ପାଇଛି । ଉଦଳା ଅତିରିକ୍ତ ଦୌରାଜଜ ପ୍ରଦୀପ କୁମାର ବେହେରା ୧୬ ଜଣ ସାକ୍ଷୀ ଏବଂ ୨୨ ଗୋଟି ଦସ୍ତାବିଜ୍ ଯାଞ୍ଚ କରିବା ପରେ ଅଭିଯୁକ୍ତ ଟିମା ମହୁରିଆକୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଭାରତୀୟ ନ୍ୟାୟ ସଂହିତା ଧାରା ୧୨୭(୨) ଅନୁସାରେ ଅଭିଯୁକ୍ତ ଟିମା ମହୁରିଆକୁ ୧ ବର୍ଷ ଜେଲ ଏବଂ ୫ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଜୋରିମାନା ଅନାଦେୟ ବାବଦକୁ ଅଧିକ ୩ ମାସ ଜେଲ ଦଣ୍ଡାଦେଶ ଭୋଗିବେ ଅଭିଯୁକ୍ତ । ତତସହିତ ଭାରତୀୟ ନ୍ୟାୟ ସଂହିତା ଧାରା ୩୨୬(ଜି) ଅନୁସାରେ ଅଭିଯୁକ୍ତକୁ ୫ ବର୍ଷ ଜେଲ ସହିତ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ବାବଦକୁ ଏକ ବର୍ଷ ଅଧିକ ଦଣ୍ଡାଦେଶ ଭୋଗିବେ ଅଭିଯୁକ୍ତ । ସମୁଦାୟ ଉକ୍ତ ଘଟଣାରେ ଅଭିଯୁକ୍ତ ଟିମା ମହୁରିଆକୁ ୬ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିରେ ସରକାରଙ୍କ ତରଫରୁ କ୍ୟାଡର ଆଡିସନାଲ ପିପି ଲିଲେଶ କୁମାର ଜେନା କେଶ ପରିଚାଳନା କରୁଥିବା ବେଳେ ଉପନିର୍ଦ୍ଦେଶକ ଦିପ୍ତୀରଞ୍ଜନ ଷେଣ୍ଡ ମାର୍ଗଦର୍ଶନ ଦେଇଥିଲେ/
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *