
କଟକ, ତା ୦୯.୦୯.୨୦୨୬ ରିଖ – କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନକୁ ରୋକିବା, ନିଷେଧ କରିବା ଓ ଅଭିଯୋଗର ଉପଯୁକ୍ତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୋଶ ଆଇନ ୨୦୧୩ (POSH Act 2013) ସମ୍ପର୍କିତ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସମ୍ମାନ, ନିରାପତ୍ତା ଓ ମର୍ଯ୍ୟାଦା ରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡିକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (Internal Complaints committee) ଗଠନ କରାଯାଇଛି । ଯଦି କୌଣସି ମହିଳା ଅସୁବିଧା, ଅସମ୍ମାନ କିମ୍ବା ଯୌନ ଉତ୍ପୀଡ଼ନର ସମ୍ମୁଖୀନ ହୁଅନ୍ତି, ତେବେ ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଓ ଉପଯୁକ୍ତ ଅଧିକାରୀଙ୍କୁ ଅଭିଯୋଗ କରିବାରେ ସହଯୋଗ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ଡଃ ମିଶ୍ର କହିଥିଲେ । ବିଷୟ ବିଶେଷଜ୍ଞ ଭାବେ ଡଃ ମିନାକ୍ଷୀ ପଣ୍ଡା ଓ ଆଇନଜୀବୀ ବିଜୟ ପଣ୍ଡା ଯୋଗଦେଇ ପୋଶ ଆଇନ ୨୦୧୩ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ଆଇନଗତ ଦଣ୍ଡବିଧାନ ଓ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଦାୟିତ୍ୱ ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡିସିପି ଗ୍ରାମାଞ୍ଚଳ ଶ୍ରୀମତୀ ସସ୍ମିତା ବାରିକ,ଡେପୁଟି କଲେକ୍ଟର ପୁଷ୍ପଶ୍ରୀ ସାଣ୍ଡିଲ, ଡେପୁଟି କଲେକ୍ଟର ପ୍ରଜ୍ଞା ପାରମିତା ଥାଟୋଇ, ଡେପୁଟି କଲେକ୍ଟର ଜ୍ୟୋତ୍ସ୍ନା ନାଏକ ପ୍ରମୁଖ ଯୋଗଦେଇ କାର୍ଯ୍ୟସ୍ଥଳରେ ମହିଳାମାନଙ୍କ ସୁରକ୍ଷା ଓ ସଚେତନତା ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ ଯୋଗଦେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀମତୀ ସୋଫି ସାଇନିକା ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ ।