


ବାଲିଚନ୍ଦ୍ରପୁର -ପାରାଦୀପ ରୁ ଜାତୀୟ ରାଜପଥ 53 ଦେଇ ରାଜ୍ୟର ବିଭିନ୍ନ ଅଂଚଳକୁ ପେଟ୍ରୋଲ ଓ ଡିଜେଲ ପରିବହନ ହୋଇଥାଏ. ଗୁରୁବାର ମଧ୍ୟାହ୍ନରେ ବାଲିଚନ୍ଦ୍ରପୁର ପୋଲିସ ପେଟ୍ରୋଲିଙ୍ଗ କରବା ସମୟରେ ଓଳାଶୁଣୀ, ପାରିପଲେଇ ଛକ ମଝିରେ ଏକ ପେଟ୍ରୋଲ, ଡିଜେଲ ବୋଝେଇ ଟ୍ୟାଙ୍କରOD 15 AC 0770 ରାଜପଥରେ ଦୀର୍ଘ ସମୟ ଠିଆ ହୋଇଥିବା ଦେଖି ଏ ଏସ ଆଇ ଅଚ୍ୟୁତାନନ୍ଦ ଦାସ ଓ କିଛି ଷ୍ଟାଫ ଘଟଣା ସ୍ଥଳରେ ପହଂଚି ଦେଖନ୍ତିତ ଟ୍ୟାଙ୍କରର ଡ୍ରାଇଭର ଓ ହେଲପର ଦୁଇଟି ପ୍ଲାଷ୍ଟିକ ଜାରରେ ଡିଜେଲ, ପେଟ୍ରୋଲ କାଟି ବିକିବା ପାଇଁ ଅପେକ୍ଷା କରିଥିଲେ. ପୋଲିସ ଘଟଣା ସ୍ଥଳରୁ ଟ୍ୟାଙ୍କର, କଟାଯାଇଥିବା ଡିଜେଲ ପେଟ୍ରୋଲ ଜବତ କରି ଡ୍ରାଇଭର, ହେଲପର କୁ କାବୁ କରିଥିବା ବେଳେ କିଣିବା ଲୋକ ଚତୁରତାର ସହିତ ଖସିଯାଇଥିଲା.ଏସ ଆଇ ପି କେ ସେଠି ଘଟଣା ସ୍ଥଳରେ ପହଂଚି ତଦନ୍ତ ଚାଲୁ ରଖିଛନ୍ତି. ପୋଲିସ 349/26ଏକ ମାମଲା ରୁଜୁ କରି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଥାନା କୁମାରୀ ଗ୍ରାମର ସତ୍ୟ ସୌରଭ ଅମାତ ଙ୍କ ପୁଅ ଡ୍ରାଇଭର ଚନ୍ଦନ ଅମାତ (25) ଓ ବାଉଁସୁଣୀ ଥାନା ପଳାସ୍ପାତ ଗ୍ରାମର ଚନ୍ଦ୍ରମଣି ପ୍ରଧାନଙ୍କ ପୁଅ ହେଲପର ବାଦଲ କୁମାର ପ୍ରଧାନ (28) କୁ ଗିରଫ କରିଛି. ଏ ନେଇ ବାଲିଚନ୍ଦ୍ରପୁର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ ଡି ପି ଓ ଶରତ ଚନ୍ଦ୍ର ପାତ୍ର ଯୋଗଦେଇ ସୂଚନା ଦେଇଥିଲେ ଯେ ପାରାଦୀପ ରୁ ବୌଧ ଜିଲ୍ଲାର ରଂଜିତ ପ୍ରଧାନଙ୍କ ମା ଦୁର୍ଗା ଫିଲିଙ୍ଗ ଷ୍ଟେସନ ବୌଧ ଟାଉନ କୁ ପେଟ୍ରୋଲ ଡିଜେଲ ବୋଝେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ଗାଡ଼ିର ଡ୍ରାଇଭର ଓ ହେଲପର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପାରିପଲେଇ ଛକ ନିକଟରେ ଗାଡି ରଖି ଚୋରି କରି ତେଲ କାଟି ବିକିବା ପାଈଁ ପ୍ରସ୍ତୁତ ଥିବାବେଳେ ବାଲିଚନ୍ଦ୍ରପୁର ପୋଲିସ ଦ୍ୱାରା ଧରା ପଡ଼ିଥିଲେ. ସେମାନେ ତେଲ ବିକ୍ରି ପାଈଁ କାଟିଥିବା ମଧ୍ୟ ସ୍ୱୀକାର କରିଛନ୍ତି. ତେବେ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ତେଲ ଟ୍ୟାଙ୍କର ଗାଡି, ଦୁଇଟି ମୋବାଇଲ ଫୋନ, ତେଲ କାଟିବା ପାଈଁ ପ୍ଲାଷ୍ଟିକ ପାଇପ, ଦୁଇଟି ହାତୁଡି, ସିଲ ଖୋଲିବା ପାଈଁ ଆବଶ୍ୟକୀୟ ଯନ୍ତ୍ରପାତି, ଦୁଇଟି ପେଟ୍ରୋଲ ଓ ଡିଜେଲ ବୋଝେଇ କୋଡିଏ ଲିଟର ଯାର ଜବତ କରିଥିବା ବେଳେ, ଚୋରା ପେଟ୍ରୋଲ ଡିଜେଲ କିଣିବା ଲୋକକୁ ଖୁବଶୀଘ୍ର ଧରାଯିବ ବୋଲି କହିଥିଲେ. ଗିରଫ ଡ୍ରାଇଭର ଚନ୍ଦନ ଓ ହେଲପର ବାଦଲକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଇ ଆଇ ସି ଦିଲୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି.