
ଚଢ଼ି ପାରୁନାହିଁ ତାଳ କି ନଡ଼ିଆ ଗଛକୁ
ଅବା ଆମ୍ବ କି ତେନ୍ତୁଲି ବଡ଼ ବଡ଼ ଗଛକୁ
ଦାଉ ସାଜୁଛି ଖାଲି ଏହି ଛୋଟ ଛୋଟ
ଚମ୍ପା ଟଗର ମନ୍ଦାର
ଲେମ୍ବୁ କମଳା କି କରମଙ୍ଗା
ଅବା ଲିଚୁ ଗଛଗୁଡ଼ିକ ଉପରେ ।
ଆହାଃ ! ଏହି ଛୋଟ ଛୋଟ ଗଛଗୁଡ଼ିକର
ସବୁ ରସ ସବୁ ନିର୍ଯ୍ଯାସ ଶୋଷି ଶୋଷି
ପତ୍ରହୀନ କରି ସାରିଲାଣି ପରାଙ୍ଗପୁଷ୍ଟ ।
ଆହାଃ ! ପତ୍ରହୀନ ଥୁଣ୍ଟା ବୃକ୍ଷଗୁଡ଼ିକ
କେମିତି ଆଉ ତିଆରିବେ ଖାଦ୍ୟ (?)
ଫୁଲ-ଫଳ ନ ପାଇଲେ କିଛି
ଥୁଣ୍ଟା-ବାଞ୍ଝ ଗଛକୁ ଓପାଡ଼ି ଓପାଡ଼ି
ଫିଙ୍ଗିଦେବ ତ ନିଶ୍ଚୟ ମୁନିବ !
ହେ ପରାଙ୍ଗପୁଷ୍ଟ ନିର୍ମୂଳୀଲତା
ପାରୁଛୁ ତ ନିଜେ ମାଟିରେ ଗୋଡ଼ ଲଗା
ସେମାନେ କେତେ କଷ୍ଟ-ମେହେନତିରେ ମାଟିରୁ
ସଂଗ୍ରହିଛନ୍ତି ନିଜ ନିଜର ଆହାର
ପରିବେଶ କରୁଛନ୍ତି ଶୋଭନ ସୁନ୍ଦର
ପୋଷି ହେଉଛନ୍ତି ନିଜେ ତ
ଆଉ ପୋଷୁଛନ୍ତି କେତେ ଯେ’ ସଂସାର,
କାହିଁପାଇଁ ଶୋଷୁଛୁ ତୁ ସେମାନଙ୍କ ରକ୍ତ
ଅଯଥାରେ ହେଉଅଛୁ ଅଭିଶପ୍ତ !
ହେ ପରଜୀବୀ ଅପାଦ ମଲାଙ୍ଗ !
କ୍ଷମତା ଅଛି ତ….
ପଲ୍ଲି ଛାଡ଼ି ଯା’ ଚାଲି ଦୂରସ୍ଥ ନଗର
ସେଠି ଚଢ଼ି ଯା’ ବଡ଼ ବଡ଼ ବରଗଛ….
ଯେଉଁଠି ଯକ୍ଷରାଜ ସଞ୍ଚିଛି ସଂପଦ
ଲାଲ୍ ଟହଟହ ଫଳ
ଯେତେ ପାରୁ ସେତେ ଶୋଷିବୁ ତୁ ରସ
ସେ ଗଛରୁ କିଛି ମାତ୍ର ନ ହୋଇବ ଶେଷ ।
ସେଠାରେ ଦେଖିବୁ ବିହଙ୍ଗ ଆକାଶ
ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ରମଣ୍ଡଳ
କିନ୍ତୁ, ଆକାଶର କଳାମେଘ ଦେଖି
ନ କରିବୁ ଭୟ…. ନ ହେବୁ ଉଚ୍ଚାଟ
ନଚେତ କୋରଡ଼ରେ ଥିବ ବିଷଧର
ତୋତେ କରିବ ନିଃଶେଷ !
ବିଷଧର ସାଥେ ଯଦି ବସିପାରିବୁ ସଙ୍ଗାତ
ତେବେ ଆୟତ୍ତିବୁ ସେ ଗଛର କ୍ଵାଥ,
ଆଉ ଯଦି ବାଣ୍ଟି ତୁ ପାରିବୁ ଛତ୍ର
ନିଶ୍ଚେ ଲଭିବୁ ଆଶିଷ,
ଅଭିଶପ୍ତୁ ହୋଇଯିବୁ ମୁକ୍ତ
ପାଦ ତବ ହେବ ଦୃଶ୍ୟମାନ
ମୃତ୍ତିକାରେ ହେବୁରେ ଆଶ୍ରିତ !
ସେହି କ୍ଷୁଦ୍ର ନିରୀହ ଗଛଗୁଡ଼ିକର
ସୁଖେ-ଦୁଃଖେ ହୋଇ ଭାଗୀଦାର
ଆତ୍ମା ତୋର ହେବ ପରିତୃପ୍ତ
ପାଲଟିବୁ ବରପୁତ୍ର ମାଟିର ସନ୍ତାନ ■|
ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର ଯାଜପୁର