ଆମ ଏ ସଂସାରେ ବାସ୍ତବ ଗୁରୁ କେ’
ଶୁଣ ଆହେ ସୁଧୀଜନ,
ଯିଏ ଔରସରେ ଭ୍ରୂଣ ସୃଷ୍ଟି କରି
ଧରାରେ ଦେଲେ ଜନମ ।
ଶିଶୁ ଅବସ୍ଥାରେ ଲାଳନ ପାଳନେ
ମୁଖେ ଦିଅନ୍ତି ଆହାର,
ହାତ ଧରି ବାଟ ଚଲାଇ ଶିଖାନ୍ତି
ପଢ଼ାନ୍ତି ଆଦ୍ଯ ଅକ୍ଷର ।
କୈଶୋରେ ଦୁଷ୍ଟାମି ଆକଟରେ ଛାଟ
ମାଧ୍ୟମେ ବୀର ସନ୍ତାନ,
ଯୌବନେ ସ୍ବାଧୀନ ବିହଙ୍ଗ ସଦୃଶ୍ୟ
ସଂସାରାକାଶେ ମନ୍ଥନ ।
ଏମନ୍ତ ପ୍ରକାର ଜୀବନ ଗଢ଼ିଣ
ବ୍ଯକ୍ତିତ୍ବ କରନ୍ତି ଧନ୍ଯ,
ସେହି ପିତା-ମାତା ସାକ୍ଷାତ ଈଶ୍ୱର
ସୃଜେ ଜୀବନ ଦର୍ଶନ ।
ଗୁରୁ ପୂର୍ଣ୍ଣିମାରେ ପିତା-ମାତା ପାଦେ
ଭକ୍ତି ଅର୍ଘ୍ୟ ସମର୍ପଣ,
ସଂସ୍କାର ସଂହତି ସଂସାର ପଦ୍ଧତି
ସହୃଦୟ ସମ୍ଭାଷଣ ।
ସତ୍ଯ-ଧର୍ମ ପଥେ ମାର୍ଗଦର୍ଶକ ଯେ’
ଅଟନ୍ତି ଗୁରୁ ପରମ,
ବିବେକାନନ୍ଦଙ୍କ ଗୁରୁ ରାମକୃଷ୍ଣ
ପରମହଂସ ପ୍ରମାଣ ।
ଗୁରୁ ବିନା ଜନ ନୁହଁନ୍ତି ଗମନ
ଯୁଗୀୟ ଅବଧାରିତ,
ପିତା-ମାତା ସାଥେ ଶିକ୍ଷକ ଗୁରୁଜୀ
ନାମଦାତା ସାଧୁ-ସନ୍ଥ ।
ଶୁଭ ଓ ପବିତ୍ର ଗୁରୁ ପୂର୍ଣ୍ଣିମାରେ
ସର୍ବଶ୍ରୀ ଗୁରୁ ନମସ୍ଯ,
ମଙ୍ଗଳ ବିଧାନ ସୁଖ-ଶାନ୍ତି କାମ୍ଯେ
ଭାଷେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ