“ଆମ୍ବ ମହୋତ୍ସବ” ପାଳିତ

f

ଅନୁଗୁଳ ( କ ବ୍ୟୁ ) : ଇସ୍କନ ଅନୁଗୁଳ ପକ୍ଷରୁ ରବିବାର ଦିନ ଭକ୍ତିମୟ ପରିବେଶ ମଧ୍ୟରେ “ଆମ୍ବ ମହୋତ୍ସବ” ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଶ୍ରୀ ରାଧା ଶ୍ୟାସୁନ୍ଦର, ଶ୍ରୀ ଗୌର ନିତାଇ, ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମହାରାଣୀଙ୍କୁ ବିଭିନ୍ନ ପ୍ରଜାତିର ସୁସ୍ୱାଦୁ ଆମ୍ବ ଦ୍ୱାରା ସୁସଜ୍ଜିତ କରାଯାଇଥିଲା, ଯାହା ଭକ୍ତମାନଙ୍କୁ ବିଶେଷ ଭାବରେ ଆକର୍ଷିତ କରିଥିଲା।

ଏହି କାର୍ଯ୍ୟକ୍ରମ ପ୍ରାତଃ ୪:୩୦ରେ ମଙ୍ଗଳ ଆରତି ସହ ଆରମ୍ଭ ହୋଇଥିଲା। ପ୍ରାତଃ ୭:୩୦ରେ ବିଭିନ୍ନ ପ୍ରକାରର ଆମ୍ବରେ ସୁସଜ୍ଜିତ ଶ୍ରୀବିଗ୍ରହଙ୍କ ବିଶେଷ ଦର୍ଶନ ଆରତି ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ଗୁରୁ ପୂଜା ଅନୁଷ୍ଠିତ ହୋଇଥିଲା ଏବଂ ତତ୍ ପରେ ରବିବାର ସାପ୍ତାହିକ ସତ୍ ସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଇସ୍କନ ଅନୁଗୁଳର କୋଷାଧ୍ୟକ୍ଷ ଶ୍ରୀ ପୁରୀ ଦାସ ପ୍ରଭୁ “କ’ଣ ଭଗବାନ୍ ସତରେ ଆମ ଭୋଗ ଖାଆନ୍ତି?” ଶୀର୍ଷକ ଉପରେ ଏକ ଚିତ୍ତାକର୍ଷକ ଆଧ୍ୟାତ୍ମିକ ପ୍ରବଚନ ପରିବେଷଣ କରିଥିଲେ। ସେ ଶାସ୍ତ୍ରୀୟ ପ୍ରମାଣ ମାଧ୍ୟମରେ ଭଗବାନଙ୍କୁ ଭକ୍ତିଭାବରେ ଅର୍ପଣ କରାଯାଇଥିବା ଭୋଗର ମହତ୍ତ୍ୱ ଏବଂ ପ୍ରସାଦର ଆଧ୍ୟାତ୍ମିକ ମୂଲ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ପ୍ରବଚନ ପରେ ଉପସ୍ଥିତ ସମସ୍ତ ଭକ୍ତ ଓ ଅତିଥିମାନଙ୍କୁ ସୁସ୍ୱାଦୁ ମହାପ୍ରସାଦ ପରିବେଷଣ କରାଯାଇଥିଲା। ଶତାଧିକ ଭକ୍ତ ଏହି ମହୋତ୍ସବରେ ଯୋଗଦେଇ ହରିନାମ ସଂକୀର୍ତ୍ତନ, ଆଧ୍ୟାତ୍ମିକ ଚର୍ଚ୍ଚା ଓ ମହାପ୍ରସାଦ ସେବନ ମାଧ୍ୟମରେ ଆଧ୍ୟାତ୍ମିକ ଆନନ୍ଦ ଲାଭ କରିଥିଲେ। ଏହି କାର୍ଯ୍ୟକ୍ରମ ବରଦ କୃଷ୍ଣ ଦାସ ( ମନ୍ଦିର ସଭାପତି), ପୁରୁଷୋତ୍ତମ ଦାସ (ଉପସଭାପତି), ବ୍ରଜାନନ୍ଦ ଦାସ ( ସେକ୍ରେଟାରୀ), ମଥୁରାନାଥ ଦାସ ( ମନ୍ଦିର ସେବା ପ୍ରବନ୍ଧକ) ଙ୍କ ନେତୃତ୍ୱରେ ସଫଳ ଭାବରେ ପାଳିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *