ଲଢ଼େଇ

ସକାଳୁ ସକାଳୁ ଡାମରାକୁଆ
ରାବି ରାବି ଦେଲାଣି ସୂଚନା…
ଆଜି ଜଙ୍ଗଲରେ ବାଘ-ସିଂହମାନଙ୍କର
ଭୀଷଣ ଲଢ଼େଇ ହେବ,
ତୃଣଭୋଜୀ ପ୍ରାଣୀ ଜଙ୍ଗଲକୁ ଗଲେ
ମହାବିପଦ ପଡ଼ିବ ।

ସତକୁ ସତ ବିଗୁଲ୍ ବାଜିଲା
ଘମାଘୋଟ ଲଢ଼େଇ ହେଲା
ଅସଂଖ୍ଯ ବାଘ-ସିଂହମାନଙ୍କର,
କେତେ ମଲେ…. କେତେ ଗଲେ….
ତା’ର ହିସାବ ନ ଥିଲା,
ହଠାତ୍ ବନସ୍ତରେ ନିଆଁ ଲାଗିଗଲା
ସେଥିପ୍ରତି ବାଘ-ସିଂହଙ୍କର ଭ୍ରୂକ୍ଷେପ ନ ଥିଲା,
କରିବାକୁ ତେବେ ଅଗ୍ନି ନିର୍ବାପନ
ଘୋଟିଲା ଆକାଶେ କଳାବାଦଲ
କଳାବାଦଲକୁ ଦେଖି ନାଚିଲା ମୟୂର ।
ବରଷିଲା ବରଷା ଭୀଷଣ
ବାଘ-ସିଂହ ଦେଲେ ଛତ୍ରଭଙ୍ଗ,
ଜଙ୍ଗଲ ହୋଇଥିଲା କିନ୍ତୁ ରକ୍ତରଞ୍ଜିତ
ଶସ୍ଯ ଓ ତୃଣ ସଂପୂର୍ଣ୍ଣ ନଷ୍ଟ-ଭ୍ରଷ୍ଟ
କ୍ଷୁଧାରେ ତୃଣଭୋଜୀ ପ୍ରାଣୀ
ଆକୁଳେ ବ୍ୟାକୁଳେ କରନ୍ତି ଆର୍ତ୍ତଚିତ୍କାର ।

ରଣକ୍ଷେତ୍ରରୁ ଲବ୍ଧ ହେଲେ ବାଘଛାଲ
ଡମ୍ବରୁଧର ଶିବ-ଶଙ୍କର ,
ସିଂଘଛାଲ ପ୍ରାପ୍ତ ହେଲେ ବ୍ରହ୍ମଦେବ,
ମୟୂରପୁଚ୍ଛ ଶ୍ରୀବିଷ୍ଣୁ ପାଇ ମୁରୁକି ହସିଲେ ତ
ତର୍ଜମା ସଭାର କରିଲେ ଆହ୍ବାନ !

ବସିଲା ସଭା, ମହାସଭା….
ଅଗ୍ନି ନିର୍ବାପନ ନିମନ୍ତେ
ଇନ୍ଦ୍ରଙ୍କୁ ଦିଆଗଲା ଧନ୍ୟବାଦ,
ଆଉ ତା’ପରେ….
ଅନୁଧ୍ୟାନ ଚାଲିଲା ଯୁଦ୍ଧର କାରଣ….
ତୃଣଭୋଜୀ ପ୍ରାଣୀଙ୍କ କ୍ଷତିପୂରଣ….!
ବାଘ-ସିଂହଙ୍କର ଯୁକ୍ତିତର୍କ….
ଯୁଦ୍ଧରେ ସିନା ବନସ୍ତ ରକ୍ତରଞ୍ଜିତ
କିନ୍ତୁ ଅଗ୍ନି କରିଛି ଅରଣ୍ୟ ଦହନ,
ଏଥିପାଇଁ ଦାୟୀ ହିଁ ବାନର,
କିନ୍ତୁ ବାନର ଲାଙ୍ଗୁଡ଼ରେ ନିଆଁ
କିଏ ଲଗାଇଲା…. (?)
ସେଥିପାଇଁ ନୂଆ ତଦନ୍ତ କମିଟି
ଗଠନ ପ୍ରକ୍ରିୟା ଶୁଭ ଦିଆଗଲା…. ■|

ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର – ୭୫୫୦୧୧

Leave a Reply

Your email address will not be published. Required fields are marked *