ଆମ ଅସ୍ମିତା

ଆହାଃ କି ସୁନ୍ଦରୀ ଉତ୍କଳ ଜନନୀ
ଧରଣୀ ବକ୍ଷେ ଭୂଖଣ୍ଡ,
ମାଟି ଚନ୍ଦନରେ ସୃଜିଛି ଅସ୍ମିତା
ପ୍ରକୃତି ଦାନେ ସୁନନ୍ଦ !

ଯାହା ପାଇଁ ଆମ ଗର୍ବ-ଗୌରବ ଓ
ଦମ୍ଭ ସାହସର ଉତ୍ସ,
ତାହା ହିଁ ଆମ୍ଭର ଆତ୍ମମର୍ଯ୍ଯାଦା ଯେ’
ଅସ୍ମିତା’ର ପଦବାଚ୍ୟ ।

ଉତ୍କଳ ଭୂଖଣ୍ଡ ସୁରମ୍ୟ ସୌନ୍ଦର୍ଯ୍ୟ
କଳିଙ୍ଗ ସାଗରେ ଧୌତ,
ଦେବ ମାନବ ଓ ପ୍ରକୃତି ସୃଜନେ
ଅସ୍ମିତା ପ୍ରତିବିମ୍ବିତ ।

ଅସ୍ମିତା’ର ଅର୍ଥ ଅସ୍ତିତ୍ବ ସମ୍ପଦ
ମାଟିର ସଂସ୍କୃତି ସୃଷ୍ଟ,
ଭାଷା ଓ ସାହିତ୍ୟ ପରମ୍ପରାଗତ
ଅନ୍ୟତ୍ର ନ ପରିଦୃଷ୍ଟ ।

ପ୍ରକାର ଭେଦରେ ଅସ୍ମିତା ତ୍ରିଧାର
ଭୂଖଣ୍ଡର ପରିଚୟ,
ଅର୍ଦ୍ଧ କି ଆଂଶିକ ଅସ୍ମିତା ଦୃଶ୍ୟାନ୍ତେ
ସଂପୂର୍ଣ୍ଣେ ଗରିମାମୟ ।

ଯେ’ ସଂସ୍କୃତି ଦୃଶ୍ଯ ଭିନ୍ନ ରାଇଜରେ
ଥିଲେ ଥାଉ ଓଡ଼ିଶାର,
ଆଂଶିକ ଅସ୍ମିତା ଭାବରେ ଗଣନ
ଯାହା ସଂକ୍ରାନ୍ତି ମକର ।

ଦୁର୍ଗାପୂଜା ଆମ ଜାତୀୟ ଅସ୍ମିତା
ତଅପୋଇ ଉତ୍କଳର,
ସାଧବ ବୋଇତ ବନ୍ଦାଣ ଉତ୍ସବ
ଉତ୍କଳୀୟ ସଂସ୍କୃତିର ।

ଓଡ଼ିଆ ମାଟିରୁ ଓଡ଼ିଆ ଜାତିରୁ
ଯେଉଁ ସଂସ୍କୃତି ଉତ୍ପନ୍ନ,
ତାହା ହିଁ ସଂପୂର୍ଣ୍ଣ ଉତ୍କଳ ଅସ୍ମିତା
ରଜ-ପରବ ପ୍ରମାଣ ।

ନୂଆଁଖାଇ ପର୍ବ ଉତ୍କଳେ ସୃଜନ
ଦେବୀଙ୍କୁ ଅର୍ଘ୍ୟ ସୁମନଃ,
ପ୍ରଥମାଷ୍ଟମୀ’ରେ ଜ୍ଯେଷ୍ଠପୁତ୍ର-କନ୍ଯା
ନବ-ବସ୍ତ୍ର ପରିଧାନ ।

ଧୋତି-କୁର୍ତ୍ତା ଆମ ଜାତୀୟ ପୋଷାକ
ଉତ୍କଳାସ୍ମିତା ବିନ୍ୟାସ,
ବିଦେଶୀ ସଂସ୍କୃତି ପୋଷାକେ ବିନଷ୍ଟ
ହେଲେ ହେଁ କର୍ପୂର ବାସ ।

ରସଗୋଲା ରସା- ବଳି ଛେନାପୋଡ଼
ଅଥବା ପଖାଳ ଭାତ,
ମଣ୍ଡା ଚକୁଳି କି ଏଣ୍ଡୁରି କାକରା
ଦୁତୀୟା ତର୍କାରି ଘାଣ୍ଟ ।

ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି
କଳା-ଭାସ୍କର୍ଯ୍ଯ ଅନନ୍ୟ,
ଅସ୍ମିତା ଝଲକ ଉତ୍କୃଷ୍ଟ ମହାନ
ବିଶ୍ବରେ ଜାଜ୍ବଲ୍ଯମାନ ।

ସାହିତ୍ୟ ଅସ୍ମିତା ଭଞ୍ଜ କାବ୍ୟ-କୃତି
ସାରଳା ମହାଭାରତ,
ଜଗନ୍ନାଥ ଦାସ ଭାଗବତ ବାଣୀ
ସଂସାରେ ସାହିତ୍ୟାମୃତ ।

ମନ୍ଦିରମାଳିନୀ ସର୍ବଜନୀନ ଯେ’
ଅସ୍ମିତା ଶ୍ରୀ ଜଗନ୍ନାଥ,
କୋଣାର୍କର କଳା- ଭାସ୍କର୍ଯ୍ଯ ଗୌରବ
ଅସ୍ମିତା ଓଡ଼ିଶୀନୃତ୍ୟ ।

ଜୀବନଧର୍ମୀୟ ବାର୍ତ୍ତା ପ୍ରଦାୟକ
ରଥଯାତ୍ରା’ର ସୌରଭ,
ଲକ୍ଷ୍ମୀପୁରାଣରେ ସମାଜ-ସଂସ୍କାର
ଉତ୍କଳାସ୍ମିତା ବିଭବ ।

ଉତ୍କଳୀୟ ପୂର୍ବ – ସୂରୀମାନଙ୍କର
ମାଟି-ଜାତିପ୍ରେମ କର୍ମ,
ଉତ୍କଳ ଅସ୍ମିତା କୀର୍ତ୍ତି-ଭିତ୍ତିଭୂମି
ପରିଭାଷିତ ସୁରମ ।

ଭୂଖଣ୍ଡ ସୁଦୂରେ ସୁରକ୍ଷା କବଚ
ଅସ୍ମିତା ହିଁ ବରାଭୟ,
ମାଟି-ଜାତି ସାଥୀ ନ ଥିଲେ କେଉଁଠି
ଅସ୍ମି ଜନ ପରିଚୟ ।

ଉଚ୍ଚ-ମଥା ସିନା ସ୍ବାଭିମାନ ପ୍ରଥା
ଅସ୍ମିତା ମାଟି ସୁଗନ୍ଧ,
ଦୁର୍ବଳ ମାନସେ ମଥା ନଇଁପାରେ
ମାଟି ସଦା ମକରନ୍ଦ ।

ପିତା-ମାତା ନାମ ଠିକଣା ବିହୀନ
ସନ୍ତାନ ଯେମନ୍ତ ତୁଚ୍ଛ,
ଅସ୍ମିତା ବିହୁନେ ଜାତିସତ୍ତା ଶୂନ୍ଯ
ମୂଳ ବିହୁନେ କି ଗଛ ?

ବୃକ୍ଷରେ ସୁନ୍ଦର ଡାଳ ପତ୍ର ଫୁଲ
ଫଇମା ଫଳ ସ୍ବାଦିଷ୍ଟ,
ମାଟିର ଜାତିର ସଂସ୍କୃତି ବୈଭବ
ଅସ୍ମିତା ଯେ’ ପରିପୁଷ୍ଟ ।

ବିଭିନ୍ନ ରାଜ୍ୟରେ ସ୍ବକୀୟ ଅସ୍ମିତା
ନିଷ୍ପ୍ରଭ ତାରକାସମ,
ଆମ ଅସ୍ମିତା ଯେ’ ସପ୍ତର୍ଷିମଣ୍ଡଳ
ସର୍ବାଗ୍ରେ ଉଜ୍ଜ୍ବଳତମ ।

ଅସ୍ମିତା ସୌରଭ କସ୍ତୁରୀ ମହକ
ସ୍ବତନ୍ତ୍ର ଉତ୍କଳ ପର୍ବ,
ହୋମ-ଯଜ୍ଞାଦିର ସୁଗନ୍ଧେ ସ୍ପନ୍ଦନ
ଉତଫୁଲ୍ଲିତ ହୁଏ ଗର୍ବ ।

ଉତ୍କଳ ଅସ୍ମିତା ଶୀତଳ ଜୋଛନା
ସଂହତିର ଶିହରଣ,
ସତ୍ଯ ଶାନ୍ତି ଦୟା କ୍ଷମା ଅହିଂସା ଓ
ଭାଇଚାରାର ସ୍ଫୁରଣ ।

ଅସ୍ମିତା ଐଶ୍ଵର୍ଯ୍ୟ ମାଟିର ଜାତିର
ନୁହେଁ ଏହା ବ୍ଯକ୍ତିଗତ,
ସ୍ଥୂଳ ବସ୍ତୁ ନୁହେଁ ସୂକ୍ଷ୍ମାନୁଭବରେ
ଉଲ୍ଲାସମୟ ଅସ୍ତିତ୍ବ ।

ଅସ୍ମିତା’ର ଭାବ ନିଜସ୍ବ ମୌଳିକ
ମାଟି-ଜାତିର ପୀୟୂଷ,
ଗର୍ବ ଗଉରବ ସ୍ବାଭିମାନ ଊର୍ଜଃ
ଭାଳେ ଶମ୍ଭୁନାଥ ଦାସ ।

Leave a Reply

Your email address will not be published. Required fields are marked *