ଦିନେ ଦିନେ ମନ ଆନନ୍ଦ ରେ
ନୀଳ ସବୁଜ ଗୋଲାପୀ
ଆଉ ଲାଲ୍ ରଙ୍ଗର ବେଲୁନ୍ ଭିତରେ
ଫୁ…ଫୁ… କରି ହସ ସବୁ ଭର୍ତ୍ତି କରି
ଉଡ଼ାଉଥାଏ ମୁଁ ପବନ ଦୋଳିରେ
ଅଫୁରନ୍ତ ଖୁସିରେ… ଖୁସିରେ… ।
ଏମିତି ଚିତ୍ତ ବିନୋଦ ରେ
କେତେବେଳେ କେମିତି
ପୋଖରୀହୁଡ଼ାରେ ବସି
ଖୁସିରେ… ଖୁସିରେ…
ପାଣିକୁ ମୁଁ ଟେକାଟିଏ ଫିଙ୍ଗିଦିଏ
କୃତ୍ରିମ ତରଙ୍ଗ କରିବାକୁ ସୃଷ୍ଟି
ପୋଖରୀ ପାଣିରେ…. ।
ଏମିତି ବି ବେଳେବେଳେ
ପେଟରେ କ୍ଷୁଧା ଆଦୌ ନ ଥାଏ
ମନର କ୍ଷୁଧା ଫୁଲିଉଠେ
କ୍ଷୀର ଉତୁରିଲା ଭଳି,
ସେହି କ୍ଷୁଧାକୁ କରିବାକୁ ପ୍ରଶମିତ
ଖାଉଥାଏ ଚିକେନ୍ ପକୁଡ଼ା
ପ୍ରମତ୍ତ ପ୍ରମୋଦ ରେ
ବସି ଦୋଳାୟମାନ ଚେୟାରରେ…. ।
ଏମିତି ଏମିତି ଖୁସିରେ ….
ବସେଇ ରଖିଥାଏ ପାଖରେ
ଆନନ୍ଦ କୁ ବିନୋଦ କୁ ପ୍ରମୋଦ କୁ,
କିନ୍ତୁ ବିବେକ ନ ଥାଏ ଉପସ୍ଥିତ,
ସେ’ ତ ନ ଥାଏ ହସ-ଖୁସି ମଧ୍ଯରେ
କେବଳ ସୁଖ-ଦୁଃଖ ମଝିରେ
ସେ ଥାଏ ସ୍ଥିତପ୍ରଜ୍ଞ…. ।
ଦିନେ ମୁଁ ….
‘ଆନନ୍ଦ’, ‘ବିନୋଦ’ ଓ ‘ପ୍ରମୋଦ’କୁ
ପାଖରେ ବସେଇ ଭାବିଲି
‘ବିବେକ’କୁ କରିବାକୁ ଆମନ୍ତ୍ରଣ
ଖୋଜିଲି ଉପାୟ ….
କବିତାଟିଏ ଲେଖିବାକୁ କଲି ସ୍ଥିର
ଖୁସିରେ ହେଉ ବରଂ
ବିବେକ ଆସିବ ନିଶ୍ଚୟ ।
ସତକୁ ସତ ଆସିଲା ବିବେକ
କରୁଥାଏ ନିରୀକ୍ଷଣ
ଭାବ ଥାଏ ସନ୍ତର୍ପଣ ,
କିନ୍ତୁ ଦୁଃଖ ଏହି ଯେ —
ବିବେକ ଆସି ପହଞ୍ଚିବା କ୍ଷଣି
ଉଭାନ ହୋଇଗଲେ ଏହି ତିନିଜଣ ।■|
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର / ମୋ: ୯୦୩୮୩୯୭୧୩୫