ବିଶ୍ବ ଭାଇ-ଭଉଣୀ ଦିବସ

ସଂପର୍କ ରଜ୍ଜୁରେ ବନ୍ଧା ଏ ସଂସାର
ପରିବାର ସୁଶୋଭିତ,
ସ୍ନେହ ଶ୍ରଦ୍ଧା ଭକ୍ତି ପ୍ରୀତି ମମତାର
ପରିବେଶ ମହକିତ ।

ଅମୃତ ସଂପର୍କ ସହୃଦୟ ଭାବ
ସୁଖ ଶାନ୍ତି ଓ ଆନନ୍ଦ,
ସଂସ୍କାର ସଂହତି ମୈତ୍ରୀ ପରିବାର
ମମତାର ମକରନ୍ଦ ।

ଜେଜୀ ମା’ ସାଆନ୍ତ ଅଜା-ଆଈ’ଠାରୁ
ନାତି-ନାତୁଣୀ ସଂପର୍କ,
ପିତା ମାତା ପୁତ୍ର କନ୍ଯା ପତ୍ର-ପୁଷ୍ପ
ସଂପର୍କ ବୃକ୍ଷ ମହକ ।

ଭାଇ-ଭଉଣୀ’ର ସଂପର୍କ ସବୁଠୁ
ମଧୁର ସ୍ବଚ୍ଛ ପବିତ୍ର,
ଭଉଣୀର ଶୁଭ ମନାସରେ ଭାଇ
ସମାଜେ ଗୌରବାନ୍ବିତ ।

ଭଉଣୀର ସୁଖ – ସ୍ବାଚ୍ଛନ୍ଦ୍ଯ ସୁରକ୍ଷା
ଭ୍ରାତାର ମୁଖ୍ଯ କର୍ତ୍ତବ୍ଯ,
ଭଗ୍ନୀକୁ ଆଦର ସ୍ନେହ ମମତାର
ଭ୍ରାତାର ସୁଖ ଗୌରବ ।

ଭାଇ ହସ୍ତେ ରାକ୍ଷୀ ପିନ୍ଧାଇ ଭଉଣୀ
ମନାସେ ଭବିଷ୍ୟୋଜ୍ଜ୍ବଳ,
ଭ୍ରାତା-ଭଗ୍ନୀ ଦ୍ବୟ ମଣି-ମୁକ୍ତା ସମ
ସଂସାରେ ଜାଜ୍ବଲ୍ଯମାନ ।

ଶ୍ରୀକୃଷ୍ଣଙ୍କ ହସ୍ତେ ରାକ୍ଷୀ ବାନ୍ଧିଥିଲେ
ଦ୍ରୌପଦୀ ଚିରି ସ୍ବ-ବସ୍ତ୍ର ,
କୁରୁସଭା ସ୍ଥଳେ ଦ୍ରୌପଦୀ ସୁରକ୍ଷା
ରାକ୍ଷୀ ବନ୍ଧନ ମହତ୍ତ୍ବ ।

ବଡ଼ ଠାକୁରଙ୍କ ପାଶେ ବିଦ୍ଯମାନ
ଦେବୀ ସୁଭଦ୍ରା ଶୋଭନ,
ସ୍ନେହ ସିନା ଦୃଶ୍ୟ ତତ୍ତ୍ବରେ ଭଗ୍ନୀ ଯେ’
ପତ୍ନୀଠୁ ଅଗ୍ର ଗଣନ ।

ଅପ୍ରେଲର ଦଶ ତାରିଖ ପ୍ରଣୀତ
ଭାଇ-ଭଉଣୀ ଦିବସ ,
ପବିତ୍ରତା ମଧ୍ଯେ ସଂସ୍କାର ସଂହତି
ଭାଳେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *