ରେଳପଥ ସଂଯୋଗୀକରଣ ପାଇଁ ସାମ୍ବାଦିକ ସମ୍ମିଳନୀ

ଉଦଳା ୧୫/୦୩ : – ଆଜି ବି ରେଳ ସେବାରୁ ବଞ୍ଚିତ କପ୍ତିପଦା ଉପଖଣ୍ଡ। ଯାହାକୁ ନେଇ ବଡ଼ସାହି, ଉଦଳା ଏବଂ କପ୍ତିପଦା ଅଞ୍ଚଳ ପକ୍ଷରୁ ସାମୁହିକ ଭାବେ ଦାବି ଉପସ୍ଥାପନା କରାଯାଇଛି। ଏଥିପାଇଁ କେନ୍ଦ୍ରୀୟ ଓଡିଶା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଅପରାହ୍ନ ୪ ଘଟିକା ସମୟରେ ଉଦଳା ସନ୍ଧାନୀ ଗୃହରେ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଉଦଳାର ପୂର୍ବତନ ବିଜେଡି ବିଧାୟକ ଶ୍ରୀନାଥ ସୋରେନ, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ବର ପାତ୍ର,କଂଗ୍ରେସ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ,ବିଜେଡି ନେତା ମନୋଜ କୁମାର ମହାନ୍ତି, ସମାଜସେବୀ କମଳ ଲୋଚନ ବାରିକ, କପ୍ତିପଦା ଲାବଣ୍ୟଦେଇପୁର ପଞ୍ଚାୟତ ସରପଞ୍ଚ ତୁରାମ ସିଂ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କପ୍ତିପଦା ଉପଖଣ୍ଡ କୁ ରେଳ ସଂଯୋଗୀକରଣ ହୋଇପାରି ନ ଥିବା ଅଭିଯୋଗ କରିଥିଲେ। ଏହା ସହିତ ବାଲିଆପାଳ ଠାରୁ ଭାୟା ବଡ଼ସାହି, ଉଦଳା ହୋଇ ଆନ୍ଧ୍ର ର ବିଜୟୱାଡା ପର୍ଯ୍ୟନ୍ତ ନୂତନ ରେଳ ସଂଯୋଗୀକରଣ କରିବାକୁ ଏହି ସମ୍ମିଳନୀରେ ଦାବି କରାଯାଇଛି। ଏହି ରେଳ ସଂଯୋଗୀକରଣ ହେଲେ ଏକ ବିସ୍ତିର୍ଣ ଅଞ୍ଚଳର ବିକାଶ ହୋଇପାରିବ, ତେଣୁ ତୁରନ୍ତ ଏ ଦିଗରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ନଜର ଦେବା ଆବଶ୍ୟକ ବୋଲି କହିଥିଲେ ପୂର୍ବତନ ବିଧାୟକ। ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ସହିତ ରେଳମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି। ବାଲିଆପାଳ ଭାୟା ବସ୍ତା, ହରିପୁର, ମେରଦା, ବେତନଟି, ବଡ଼ସାହି, ଉଦଳା, ଦୈତାରୀ, ବୌଦ୍ଧ, ସୋନପୁର, ଭବାନୀପାଟଣା, ନବରଙ୍ଗପୁର, ବାଲିମେଳା, ମାଲକାନଗିରି, ଭେଲାରପଡ଼ୁ, ଟି.ନରସାପୁରମ, ନଜଭିଡ଼ ହୋଇ ଆନ୍ଧ୍ର ର ବିଜୟୱାଡା ସହିତ ସଂଯୋଗ କରିବ ବୋଲି ବୈଠକରେ ମଂଚାସୀନ ଅତିଥି କହିଥିଲେ। ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ର ଜିଲ୍ଲା ସାଧାରଣ ସମ୍ପାଦକ ଅମୀୟ କୁମାର ବଳ, ବନମାଳୀ ବେହେରା, ଜୟ କିଶୋର ପାଣିଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ। ଏହାକୁ ନେଇ ଆଗାମୀ ଦିନରେ କମିଟି ରାଷ୍ଟ୍ରପତି ଙ୍କୁ ମଧ୍ୟ ଭେଟି ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *