ଦୋଳ ପୂର୍ଣ୍ଣିମା

ବସନ୍ତ ଋତୁରେ ଦୋଳ ପୂର୍ଣ୍ଣିମାରେ
ଭବ୍ଯ ହୋଲି ମହୋତ୍ସବ,
ଶ୍ରୀରାଧା-କୃଷ୍ଣ ଯେ’ ବିମାନରେ ବସି
ରଚନ୍ତି ମେଳଣୋତ୍ସବ ।

ହୋଲି ପର୍ବ ସିନା ସାର୍ବଜନୀନ ଯେ’
ଦୋଳ-ଉତ୍ସବ ଗୋପାଳ,
ଇଷ୍ଟ ଦେବ ପ୍ରଭୁ ଶ୍ରୀକୃଷ୍ଣ ପୂଜାରେ
ଗୀତ ବୋଲନ୍ତି ଓଗାଳ ।

ପୂର୍ଣ୍ଣିମାର ନାମ ସାର୍ଥକ ସୁନ୍ଦର
ଦୋଳରେ ଦୋଳଗୋବିନ୍ଦ,
ଗୋପାଳିଆଙ୍କର ଲଉଡ଼ି ଓଗାଳ
ସୃଜ୍ଯରେ ପରମାନନ୍ଦ ।

ବସନ୍ତର ମଧୁ- ମଳୟ ଆଗମେ
ଦୋଳପର୍ବ ସୁଶୋଭନ,
ପ୍ରକୃତି ଦେଇଛି ଫୁଲର ପସରା
ଜନ ଅବିରେ ରଙ୍ଗୀନ ।

ଋତୁରାଜ ଅଭ୍ୟ- ର୍ଥନାରେ ପ୍ରକୃତି
ଫୁଲ-ଫଳର ସମ୍ଭାର,
ରାଧାକୃଷ୍ଣ ପୂଜା- ର୍ଚ୍ଚନାରେ ମାନବ
ହୋଲିପର୍ବ ଆଡମ୍ବର ।

ଦୋଳପର୍ବ ସିନା ଗଉଡ଼ ସଂସ୍କୃତି
ହୋଲି ତ ସାର୍ବଜନୀନ,
ଭାଇଚାରା ସୃଷ୍ଟି କରଇ ଅବିର
ଶ୍ରୀରାଧାକୃଷ୍ଣ ପୂଜନ ।

ଯାଦବ କୁଳର ଇଷ୍ଟ ଓ ଆରାଧ୍ଯ
ଶ୍ରୀକୃଷ୍ଣ ମୁରଲୀଧର,
ଦୋଳପୂର୍ଣ୍ଣମୀ’ର ଶୁଭ ସଂସ୍କୃତିରେ
ପୂଜାର୍ଚ୍ଚନା ଆଡମ୍ବର ।

ଶ୍ରୀ ରାଧା-ମାଧବ ପୂଜାରେ ମଣ୍ଡପ
ଶୋଭେ ପବିତ୍ର ସୁନ୍ଦର,
ସର୍ବ ଗାଈଗୋରୁ ସ୍ନାନ ସେବା-ଯତ୍ନ
ବେକରେ ମାଲ୍ଯାଣୀ ହାର ।

ଆରାଧ୍ଯ ଦେବତା ଶ୍ରୀକୃଷ୍ଣ ସ୍ମରଣେ
ଶୁଭ କଳସ ସ୍ଥାପନ,
ଗୋପବନ୍ଧୁ ପୂଜା ମାନ୍ଯରେ ପ୍ରଣୀତ
ବାସେ କର୍ପୂର ଚନ୍ଦନ ।

କଳସରେ ଆମ୍ବ ବଉଳ ଡାଳୁଆ
ତା’ ମଧ୍ଯେ ଡମ୍ବୁରା ଫୁଲ,
ଘରଦ୍ବାର ସଫା – ସୁତୁରା ସହିତ
ପିଠା-ପଣା ହୁଏ ଠୁଳ ।

ସର୍ବ ପିଠା-ପଣା ସାଥେ ଘିଇ ପିଠା
ଆହାଃ କି ମହକ ସ୍ବାଦ,
ଘି’ ପିଠାର ଭୋଗ – ନୈବେଦ୍ୟ ଅର୍ପଣ
ପ୍ରଭୁ ଶ୍ରୀ ରାଧା-ଗୋବିନ୍ଦ ।

ଗୋପର ସୁରକ୍ଷା କରିଥିଲେ ବୋଲି
ଗୋପବନ୍ଧୁ ନାମ ଶୁଭ,
ଦୋଳ ପରବରେ ଗୋପବନ୍ଧୁ ପୂଜା
ଶ୍ରଦ୍ଧା-ଶକ୍ତି-ଭକ୍ତି-ଭାବ ।

ବିମାନରେ ବସି ପ୍ରଭୁ ରାଧାକୃଷ୍ଣ
କରିବେ ମେଳଣ-ଯାତ,
ଆନନ୍ଦମୁଖର ବସନ୍ତ ଉତ୍ସବ
ରାଧାକୃଷ୍ଣେ ପ୍ରଣିପାତ ।🙏

ଶୁଭ ଦୋଳପର୍ବ ପବିତ୍ର ହୋଲିର
ଶୁଭେଚ୍ଛା ଅଭିନନ୍ଦନ,
ଶାନ୍ତି ପ୍ରୀତି ମୈତ୍ରୀ ଜାତୀୟ-ସଂହତି
ସର୍ବେ ଭବନ୍ତୁ ସୁଖନଃ ।🌹

Leave a Reply

Your email address will not be published. Required fields are marked *