ଚୁକ୍ତି

ସୂର୍ଯ୍ୟଙ୍କୁ ପଚାରି ବୁଝ ମୋ ଆଖିର ତେଜଃ
ଚନ୍ଦ୍ରଙ୍କୁ ପଚାରି ଦେଖ —
କେମିତି ମୋ’ ଶୀତଳ ମସ୍ତିଷ୍କ
ସାଗର ସହିତ ପରଖି ନିଅ
ମୋ’ ବିଶାଳ ଛାତିର ବିସ୍ତୀର୍ଣ୍ଣତା
ତଉଲିନିଅ ହିମାଳୟ ସାଥେ
ମୋ’ ମନର ଦୃଢ଼ ଦାମ୍ଭିକତା ।

କି ଚୁକ୍ତି କରିଛ ତୁମେ ବିଷଧର ସାଥେ
ଜାଣିବାକୁ ନାହିଁ ପ୍ରୟୋଜନ,
ମୋ’ ଆଖି ସାମ୍ନାରେ ଶ୍ବାନ ଓ ଶୃଗାଳ
କୁଢ଼ କୁଢ଼ ନିରୀହଙ୍କ ଶବ
କରନ୍ତି ସତ୍କାର,
ଆଉ ଏ ଢିଙ୍କିକୁ ମଣିଛ ତୁମେ
କାଠଗଣ୍ଡି ପୋଖରୀ ତୁଠର !

ଗତ ନିଶାର୍ଦ୍ଧ ପ୍ରହରେ
ମୁଁ ଚୁକ୍ତି କରିଛି ଗରୁଡ଼ ସହିତ
ସାକ୍ଷୀ ଅଛନ୍ତି ସ୍ବୟଂ ନାରାୟଣ
ଆମ୍ଭେ ଦୁହେଁ ପୃର୍ଥ୍ବୀ କରିବୁ ଭ୍ରମଣ ।

ସାବଧାନ …!
କାଲି ସୂର୍ଯ୍ୟୋଦୟ’ଠାରୁ
ତୁମ ଜନ୍ତୁଗୁଡ଼ାକ ଯଦି
ନ ଛାଡ଼ନ୍ତି ଶଇତାନ ବୋଲ
ନ ମାନନ୍ତି ପ୍ରକୃତି ନିୟମ,
ତେବେ ମନେରଖ !
ହେବ ତବ ସର୍ବ ଭୁଲୁଣ୍ଠିତ,
ତୁମ ଶକୁନିପଣିଆ ପଶାଖେଳ
ମୋ’ ଶ୍ରୀକୃଷ୍ଣପଣର ପ୍ରତିଜ୍ଞାରେ
ଶହ ଶହ ବିଷାକ୍ତ ଦାନ୍ତକୁ ତୁମର
ଦେବି ମୁଁ ଓପାଡ଼ି,
ସତ୍ଯ ଶାନ୍ତି ଅହିଂସାକୁ ଦେବି ମୁକ୍ତି
ମୁଁ ଗତ ରାତିରେ
ଗରୁଡ଼ ସହିତ କରିସାରିଛି ଚୁକ୍ତି ।■

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *