

ରାୟଗଡ଼ା- ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଧୀନସ୍ଥ ଥେରୁବାଲି ଫାଣ୍ଡି ପାଇକପଡ଼ା ସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡ଼ିଛି । ମନ୍ଦିର ପୂଜକ ପ୍ରତିଦିନ ଭଳି ରବିବାର ପୂଜା କରିବାକୁ ଆସିବା ସମୟରେ ମନ୍ଦିର ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ । ସୂଚନା ପାଇଁ ମନ୍ଦିର କମିଟି ପୋଲିସକୁ ଖବର ଦେବା ପରେ ଥେରୁବାଲି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଏହି ସୂଚନା ପାଇବା ପରେ ଚାନ୍ଦିଲି ଆଇଆଇସି ପ୍ରସନ୍ନ ବେହେରା ଅନୁସନ୍ଧାନୀ କୁକୁର ଟିମ୍ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ଏସଡିପିଓ ରଶ୍ମିରଞ୍ଜନ ସେନାପତି ସୂଚନା ଦେଇଛନ୍ତି । ତଦନ୍ତରୁ ଦକ୍ଷିଣକାଳୀଙ୍କ ଦୁଇଟି ରୂପା ଆଖି ଓ ଗୋଟିଏ ଜ୍ୱିହା ଚୋରି ହୋଇଥିବା ଜଣାପଡ଼ିଛି । ଏହି ଚୋରି ଘଟଣାକୁ ନେଇ ମନ୍ଦିର ପରିଚାଳନା କମିଟି ଓ ରାଜସ୍ୱ ନିରୀକ୍ଷକ ଥାନାରେ ଲିଖିତ ଏତଲା ଦେଇଛନ୍ତି । ପ୍ରକାଶ ଥାଉକି, ୩ ବର୍ଷ ତଳେ ଅନୁରୂପ ଦକ୍ଷିଣକାଳୀ ମନ୍ଦିରରୁ ଚୋରି ହୋଇଥିଲା । ତେବେ ମନ୍ଦିରରୁ ଚୋରି ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ତୀବ୍ର ଆଘାତ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଚୋରଙ୍କୁ ଧରିବା ସହିତ ମନ୍ଦିର ଚୋରି ଉପରେ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି ହୋଇଛି ।