

ରାୟଗଡ-(କ.ପ୍ର) ଅଜୟ ରଥ-ରାୟଗଡା ରେଳବାଇ ଡାକ ସେବା (ଆରଏମଏସ) କାର୍ଯ୍ୟାଳୟରୁ ହବ ଜୟପୁରକୁ ସ୍ଥାନାନ୍ତର କୁ ନେଇ ରାୟଗଡ଼ା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବହୁବର୍ଷ ଧରି ଅତୀତରେ ଲୋକଙ୍କୁ ବିଭିନ୍ନ ଡାକସେବା ଯୋଗାଇ ଦେବା ପାଇଁ ଏହି କାର୍ଯ୍ୟାଳୟ ଏଠାରେ କାର୍ଯ୍ୟକାରୀ ହୋଇ ଆସୁଛି । ବର୍ତମାନ ରାୟଗଡ ରେଳ ଡିଭିଜନ ଘୋଷଣା ପରେ ଏହାକୁ ମାତ୍ରାଧିକ ବୃଦ୍ଧି କରିବା ପରିବର୍ତେ ଧୀରେ ଧୀରେ ହ୍ରାସ କରିବା ସହ ସଙ୍କୁଚିତ କରିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୀର୍ଘ ବର୍ଷ ହେବ ପ୍ରଦାନ କରାଯାଉଥିବା ସୁବିଧା ପ୍ରତ୍ୟାହାର କରି ନେବା ଦ୍ୱାରା ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାୟଗଡ଼ା ଜିଲ୍ଳା ଭଳି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଥିବା ରେଳବାଇ ଡାକ ସେବାର କ୍ଷମତା ବୃଦ୍ଧି କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି । ରାୟଗଡ଼ା ଆରଏମଏସ କାର୍ଯ୍ୟାଳୟର ଡାକ ସେବାକୁ ସମ୍ପ୍ରତି ଜିଲ୍ଲାବାସୀ ନିର୍ଭର କରୁଥିବା ବେଳେ କିନ୍ତୁ ଡାକ ବିଭାଗ ଏହାର ସୁବିଧାକୁ ପ୍ରତ୍ୟାହାର କରି ନେଉଛି । ବର୍ତମାନ ଏହାକୁ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଆରଏମଏସ ସହିତ ମିଶ୍ରଣ କରାଯାଇଛି । ପୂର୍ବରୁ କେହି ବ୍ୟକ୍ତି ରେଜିଷ୍ଟ୍ରି ପୋଷ୍ଟ କଲେ ରାୟଗଡ଼ା ଆରଏମଏସରୁ ସିଧାସଳଖ ଠିକଣାକୁ ପ୍ରେରଣ କରାଯାଉଥିଲା ଫଳରେ ଅତିଶୀଘ୍ର ଏହା ନିର୍ଦ୍ଧିଷ୍ଟ ସ୍ଥାନରେ ପଂହଚି ପାରୁଥିଲା । କିନ୍ତୁ ବିଡମ୍ବନାର ବିଷୟ ଏହି ସୁବିଧା ପ୍ରତ୍ୟାହାର ପରେ ଏଠାରୁ ସିଧାସଳଖ ନ ଯାଇ ପ୍ରଥମେ ଜୟପୁରକୁ ଯାଉଅଛି । ସେଠାରୁ ପୁନଃ ରାୟଗଡ଼ା ଆରଏମଏସକୁ ଆସି ଉଲ୍ଲେଖ ଠିକଣାରେ ପଠାଯାଉଛି । ଏହାଦ୍ୱାରା ଡାକଟି ପଂହଚିବାରେ ଦୁଇରୁ ତିନି ଦିନ ବିଳମ୍ବ ହେଉଛି । ଦୁର୍ଭାଗ୍ୟର ବିଷୟ ଏଠାରେ ଡାକ ବିଭାଗର ନିଜର ଆରଏମଏସ ମହଲା ଥାଇ ମଧ୍ୟ ଦୈନିକ ତିନି ହଜାରରୁ ଉର୍ଦ୍ଧ ରେଜିଷ୍ଟ୍ରି ଓ ସ୍ପିଡ୍ ପୋଷ୍ଟ ହେଉଥିଲା । ସବୁ ଯୋଗ୍ୟତା ଥାଇ ଏପରି ଏକ ପୁରାତନ ଆରଏମଏସରୁ ସମସ୍ତ ସୁବିଧା ଉଠାଇ ନେବା ଘଟଣାକୁ ନେଇ ରାୟଗଡ଼ା ଜିଲ୍ଲାବାସୀ ନାପସନ୍ଦ କରିଛନ୍ତି । ସେହିପରି ଦୁଃଖର ବିଷୟ ହେଉଛି ରାୟଗଡ଼ା ଆରଏମଏସ କାର୍ଯ୍ୟାଳୟର ଲୋକେ ଦୈନିକ ନିଜର କାର୍ଯ୍ୟ କରିବାକୁ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ୍ରେ ରାୟଗଡ଼ା ଠାରୁ ଭୁବନେଶ୍ୱର ଯାଉଛନ୍ତି । ଯେଉଁଭଳି ଡାକ ବିଭାଗର ଡାକ ହଜିଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୁପକ୍ଷ ପୁନଃ ବିଚାର କରିବାକୁ ଜନସାଧାରଣ ନିବେଦନ କରିଛନ୍ତି । ଆରଏମଏସ ପୁନଃ ପ୍ରଚଳନ କରିବା ସହିତ ରାୟଗଡ଼ା ଆରଏମଏସ ସ୍ପିଡ୍ ପୋଷ୍ଟ ହବ୍ କରାଯାଉ ବୋଲି ଦାବି ହୋଇଛି । ରାୟଗଡ଼ାର ଏହି ପୁରାତନ ରେଳ ଡାକସେବା କେନ୍ଦ୍ରରୁ ସ୍ପିଡ୍ ପୋଷ୍ଟ ରେଜିଷ୍ଟ୍ରି ଓ ପାର୍ଶଲ ପଠାଇବା ସୁବିଧା ପ୍ରତ୍ୟାହାର କରିନେବା ଦୁଃଖଦାୟକ ଘଟଣା ବୋଲି ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ରାୟଗଡ଼ା ଜନସାଧାରଣ ପକ୍ଷରୁ ରାୟଗଡ଼ା ଗସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।