
ପାରାଦୀପ- ଆଦର୍ଶ ଥାନାରେ ପିସିଆର୍ ଡ୍ରାଇଭର ଭାବେ କାର୍ଯ୍ୟ କରିଥିବା ସୁକେଶ ମଣ୍ଡଳଙ୍କ ମୃତ୍ୟୁକୁ ୪ ମାସ ପୁରି ଯାଇଥିଲେବି ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଗଲା ନାହିଁ । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବୀରେ ରବିବାର ଦିନ ସୁକେଶ ମଣ୍ଡଳ ରହୁଥିବା ମଧୁବନ ଜଗନ୍ନାଥ କଲୋନୀ ବସ୍ତି ବାସିନ୍ଦାମାନେ ଏକ ଶୋଭାଯାତ୍ରାରେ ଆସି ପାରାଦୀପ ଆଦର୍ଶ ଥାନା ଆଗରେ ଧାରଣ ଦେଇଥିଲେ । ମଧୁବନରେ ଥିବା ଗାନ୍ଧୀ ମୂର୍ତ୍ତୀ ରେ ପୁଷ୍ପ ମାଲ୍ୟ ଦେଇ ଏକ ବିଶାଳ ଶୋଭାଯାତ୍ରା ରେ କଂଗ୍ରେସ୍ ନେତା ନିରଂଜନ ନାୟକଙ୍କ ନେତୃତ୍ୱରେ ମୃତ ସୁକେଶ ମଣ୍ଡଳଙ୍କ ବାପା ସୁନିଲ ମଣ୍ଡଳଙ୍କ ସମେତ ଜଗନ୍ନାଥ କଲୋନୀ ବସ୍ତି ବାସିନ୍ଦାମାନେ ପାରାଦୀପ ଥାନା ଆଗରେ ପହଂଚିଥିଲେ । ପାରାଦୀପ ଆଦର୍ଶ ଥାନା ଅଧିକାରୀ ଛୁଟିରେ ଥିବା ଏବଂ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଆସିଥିବା ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଂଜନ କର ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସୁକେଶଙ୍କ ମୃତ୍ୟୁକୁ ୫ ମାସ ପୁରିଯାଇଥିଲେ ବି ଅଭିଯୁକ୍ତ ମାନଙ୍କୁ ପୋଲିସ୍ ପଚାରାଉଚରା କରୁନି କି ଗିରଫ କରୁନି ବୋଲି ପ୍ରଶ୍ନ କରିଥିଲେ । ମୃତ ସୁକେଶଙ୍କ ବାପା ସୁନୀଲ ମଣ୍ଡଳ ଅଭିଯୋଗ କରିଥିଲେ ଯେ, ପୋଲିସ ପିସିଆର୍ ଡ୍ରାଇଭର ମୃତ୍ୟୁ ଘଟଣାରେ ଯଦି ନ୍ୟାୟ ମିଳୁନାହିଁ ତେବେ ସାଧାରଣ ଲୋକଙ୍କୁ ପୋଲିସ୍ କି ନ୍ୟାୟ ଦେବ । ଏହି ଘଟଣାର ଫରେନସିକ୍ ରିପୋର୍ଟ ଆସି ନଥିବା କହିଥିଲେ ଡିଏସପି ସନ୍ତୋଷ ଜେନା । ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ କାର୍ଯ୍ୟରେ ଯୋଗ ଦେବା ପରେ ଘଟଣାରେ ସଂପୃକ୍ତ ସମସ୍ତ ଅଭି୍ଯୁକ୍ତମାନଙ୍କୁ ଡକାଇ ଜେରା କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କର ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା । ଯଦି ୫ରୁ ୬ ଦିନ ମଧ୍ୟରେ କୌଣସି ସୁଫଳ ନମିଳେ ତେବେ ପୁର୍ନବାର ଆନ୍ଦୋଳନ ହେବା ସହ ରାଜରାସ୍ତା ଅବରୋଧ କରାଯିବ ବୋଲି କଂଗ୍ରେସ୍ ନେତା ନିରଂଜନ ନାୟକ, ନଗର କଂଗ୍ରେସ୍ ସଭାପତି କେଦାର ନାଥ ବିଶ୍ୱାଳ, ଜଗନ୍ନାଥ କଲୋନୀ ବସ୍ତି କମିଟି ସଭାପତି ଶୁବଳ ଦାସ୍ କହିଛନ୍ତି । ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍