
କଟକ, ତା. ୦୧.୧୦.୨୦୨୬:
ଓଡ଼ିଶା ବିଧାନସଭାରେ ପ୍ରକାଶିତ ତଥ୍ୟ ଅନୁଯାୟୀ କଟକ ମହାନଗର ନିଗମ (CMC) ଦ୍ୱାରା କରାଯାଇଥିବା ୫ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକର ସ୍ଥଳ ପରିଦର୍ଶନ (Ground Inquiry), ଫିଲ୍ଡ ଭେରିଫିକେସନ ଓ ସାମାଜିକ ଅଡିଟ୍ ଦାବିରେ ଆଜି ବରିଷ୍ଠ ପୂର୍ବତନ କର୍ପୋରେଟର ଶ୍ରୀ ନିରୋଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ୧୩ ଜଣ ପୂର୍ବତନ କର୍ପୋରେଟରଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଦଳ କଟକ ମହାନଗର ନିଗମର ଅତିରିକ୍ତ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ଯେ, ବିଧାନସଭାରେ ପ୍ରକାଶିତ ତାଲିକାରେ ଉଲ୍ଲେଖିତ ବହୁ ଉନ୍ନୟନ କାର୍ଯ୍ୟର ପ୍ରକୃତ ସ୍ଥିତି, କାର୍ଯ୍ୟ ସମ୍ପାଦନା, ବ୍ୟୟ ହୋଇଥିବା ଅର୍ଥର ସଠିକ ବିନିଯୋଗ ଏବଂ କାର୍ଯ୍ୟର ଗୁଣବତ୍ତା ସମ୍ପର୍କରେ ସ୍ଥଳ ତଦନ୍ତ ଆବଶ୍ୟକ। ତେଣୁ ସମ୍ପୃକ୍ତ କାର୍ଯ୍ୟଗୁଡ଼ିକର ଫିଲ୍ଡ ଭେରିଫିକେସନ ଓ ସାମାଜିକ ଅଡିଟ୍ କରାଯାଇ ପ୍ରକୃତ ତଥ୍ୟ ସାର୍ବଜନୀନ କରିବାକୁ ଦାବି କରାଯାଇଛି।
ସ୍ମାରକପତ୍ରରେ ତାଲିକାଭୁକ୍ତ କାର୍ଯ୍ୟଗୁଡ଼ିକର ସ୍ଥଳ ପରିଦର୍ଶନ, ବ୍ୟୟ ଅର୍ଥର ଯାଞ୍ଚ, କାର୍ଯ୍ୟର ଗୁଣବତ୍ତା ପରୀକ୍ଷା ଏବଂ ଅନିୟମିତତା ଚିହ୍ନଟ ହେଲେ ଦାୟୀ ଅଧିକାରୀଙ୍କ ବିରୋଧରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।
ଏହି ପ୍ରତିନିଧି ଦଳରେ ପୂର୍ବତନ କର୍ପୋରେଟର ଶ୍ରୀ ନିରୋଦ ଚନ୍ଦ୍ର ପଣ୍ଡା, ପ୍ରମୋଦ ମହାପାତ୍ର, ହେମନ୍ତ କୁମାର ବେହେରା, ହୃଷୀକେଶ ଦେହୁରୀ, ଚିରଞ୍ଜୟ ସାହୁ, ଦୟାନିଧି ନାୟକ, ନମିତା ମଞ୍ଜରୀ ସାହୁ, ପବିତ୍ର ଭୂୟାଁ, ଲକ୍ଷ୍ମୀଧର ପ୍ରଧାନ, ସଞ୍ଜୟ ବରାଳ, ବିଜୟ ଦଳେଇ, ନରୋତ୍ତମ ଦାସ, ପ୍ରଶାନ୍ତ ଭୋଇ ଓ କବିତା ଖଣ୍ଡେଇ ଉପସ୍ଥିତ ଥିଲେ।
ପୂର୍ବତନ କର୍ପୋରେଟରମାନେ କହିଛନ୍ତି ଯେ, ଜନସାଧାରଣଙ୍କ ଅର୍ଥରେ ହୋଇଥିବା ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା, ଜବାବଦେହିତା ଏବଂ ଲୋକହିତ ସୁନିଶ୍ଚିତ କରିବା ହିଁ ଏହି ସ୍ମାରକ ପତ୍ର ପ୍ରଦାନ ର ମୁଖ୍ୟ ଉଦେଶ୍ୟ ।